Categories: ଜାତୀୟ

ଉଭୟ ଯୁଦ୍ଧ ଜିତିବୁ

ନୂଆଦିଲ୍ଲୀ,୨୯ା୬: ଚାଇନାର ଉହାନ ସହରରୁ ଆସିଥିବା କରୋନା ଭୂତାଣୁ ବିରୋଧରେ ଭାରତ ଲଢ଼ୁଥିବାବେଳେ ସେପଟେ ଲଦାଖ ସୀମାରେ ଉତ୍ତେଜନା ବଢ଼ୁଥିବାନେଇ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଭାରତ ଉଭୟ ଯୁଦ୍ଧରେ ଜିତିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ରବିବାର ଦୃଢ଼ୋକ୍ତି କରିଛନ୍ତି। ଗତ ୧୫ ତାରିଖରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ଭାରତର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ୨୦ ଯବାନ ଶହୀଦ ହୋଇଥିଲେ। ଗତ ୫ ଦଶନ୍ଧି ମଧ୍ୟରେ ଦୁଇଦେଶର ସେନା ମଧ୍ୟରେ ଏଭଳି ମୁହାଁମୁହିଁ ଅବସ୍ଥା କେବେ ହୋଇ ନ ଥିଲା। ଏହି ଘଟଣା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଉଭୟ ଯୁଦ୍ଧ ଜିତିବ, ଏହା ସେ ଦେଶବାସୀଙ୍କୁ ନିଶ୍ଚିତ କରିଦେବାକୁ ଚାହାନ୍ତି। ଏଥିସହିତ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଚାଇନା ଓ ପାକିସ୍ତାନ ହାତରେ ଖେଳୁଛନ୍ତି ଓ ସଙ୍କଟ ସମୟରେ ଭାରତ ବିରୋଧୀ ପ୍ରଚାରରେ ଲିପ୍ତ ରହୁଥିବା ଶାହା ଅଭିଯୋଗ କରିଛନ୍ତି। ରାହୁଲଙ୍କ ‘ସରେଣ୍ଡର ମୋଦି’ ଆକ୍ଷେପ ସମ୍ପର୍କରେ ଶାହା କହିଥିଲେ, ଭାରତ ବିରୋଧୀ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସମର୍ଥ। ଦେଶର ଏକ ବୃହତ ଦଳର ପୂର୍ବତନ ଅଧ୍ୟକ୍ଷ ସଙ୍କଟ ସମୟରେ ଦେଶବିରୋଧୀ ପ୍ରଚାର ଚଳାଇବା ଯନ୍ତ୍ରଣାଦାୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ। ସେମାନଙ୍କର ହାସ୍‌ଟ୍ୟାଗ୍‌ ପାକିସ୍ତାନ ଓ ଚାଇନାକୁ ଉତ୍ସାହିତ କରିଛି। ଏ ନେଇ ରାହୁଲ ଓ ତାଙ୍କ ଦଳ ଆତ୍ମସମୀକ୍ଷା କରିବା ଉଚିତ ବୋଲି ଶାହା କହିଛନ୍ତି।

Share