‘ବିଦ୍ୟୁତ୍‌ ସଂଯୋଗ ନ ଦେଲେ ରାସ୍ତାରୁ ଉଠିବୁ ନାହିଁ’

ଉଦଳା,୧୭ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ସାଗର ସାହି ଗ୍ରାମର ୨୫ରୁ ଉର୍ଦ୍ଧ୍ୱ ପରିବାର ଶୁକ୍ରବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ କପ୍ତିପଦା ଗୋଲେଇ ଛକ ନିକଟରେ ଥିବା ଉଦଳା ବାଲେଶ୍ୱର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଦୀର୍ଘ ୩ ବର୍ଷ ହେବ ଘର କାନ୍ଥରେ ବିଦ୍ୟୁତ୍‌ ସାମଗ୍ରୀ ଲଗାଇ ଦେଇ ବିଭାଗର କର୍ମଚାରୀମାନେ ପଳାଇଛନ୍ତି। ତୁରନ୍ତ ଆମକୁ ବିଦ୍ୟୁତ୍‌ ସଂଯୋଗ ନ ଦେଲେ ଆମେ ରାସ୍ତାରୁ ହଟିବୁ ନାହିଁ ବୋଲି ଏମିତି ଚେତାବନୀ ଦେଇଛନ୍ତି ସାଗର ସାହିର ବାସିନ୍ଦା।
ଏହି ସାହିରେ ୨୫ରୁ ଉର୍ଦ୍ଧ୍ୱ ପରିବାର ରହୁଥିବାବେଳେ ଦୀର୍ଘ ଦିନ ହେବ ଗାଁକୁ ବିଜୁଳି ସଂଯୋଗ ହୋଇ ନାହିଁ । ଗାଁରେ ବିଦ୍ୟୁତ୍‌ ସଂଯୋଗ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବାସିନ୍ଦା। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ। ଗ୍ରାମବାସୀ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।

Share