ଲଣ୍ଡନ,୧୧।୮ : ଶାର୍ଦ୍ଦୁଳ ଠାକୁର ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରିବେ ନାହିଁ। ଏଭଳି ସ୍ଥଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ନିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶାର୍ଦ୍ଦୁଳଙ୍କ ସ୍ଥାନରେ ଜଣେ ପେସରଙ୍କୁ ଦଳରେ ନିଆଯିବ। ଏହା ସ୍ପଷ୍ଟ କରିଛନ୍ତି ଅଧିନାୟକ ବିରାଟ କୋହଲି।
ଶାର୍ଦ୍ଦୁଳଙ୍କ ସ୍ଥାନରେ ବ୍ୟାଟିଂ ଦକ୍ଷତା ଥିବା ଖେଳାଳିଙ୍କୁ ନେବା ଉପରେ ଚିନ୍ତା କରୁନାହିଁ ଟିମ୍ ମ୍ୟାନେଜମେଣ୍ଟ। କାରଣ କିଛି ରନ୍ ଠାରୁ ପ୍ରତିପକ୍ଷ ଦଳର ୨୦ ଉଇକେଟ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଲଡର୍ସ ଟେଷ୍ଟ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି ଅଧିନାୟକ ବିରାଟ କୋହଲି। ଏହାର ଅର୍ଥ ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅଶ୍ୱିନଙ୍କୁ ସୁଯୋଗ ମିଳିବ ନାହିଁ।
ଦଳ ପାଇଁ ଭଲ କଥା ହେଲା ପ୍ରଥମ ମ୍ୟାଚ୍ରେ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟରୁ ରନ ବାହାରିଛି। ସେ ଦ୍ୱିତୀୟ ଟେଷ୍ଟରେ ଆତ୍ମବିଶ୍ୱାସ ସହ ବ୍ୟାଟିଂ କରିବେ। ଏଥି ଯୋଗୁ ଆମ ବ୍ୟାଟିଂ ଲାଇନରେ ବେଶ୍ ଗଭୀରତା ହୋଇଯାଇଛି। ନିମ୍ନକ୍ରମ ଖେଳାଳିମାନେ ମଧ୍ୟ ଉପଯୁକ୍ତ ଯୋଗଦାନ ଦେଉଛନ୍ତି ବୋଲି କୋହଲି କହିଛନ୍ତି।