ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍‌ ଜାରି ରହିଛି। ତେବେ ଏବେ ପ୍ରଶ୍ନ ଉଠୁଛି ପ୍ରଥମେ କ’ଣ ଧନୀ ଦେଶ ଗୁଡ଼ିକରେ ଏହା ପ୍ରଥମେ ମିଳିବ। ଗରିବ ଦେଶ ଗୁଡ଼ିକ କ’ଣ ପଛରେ ପଡ଼ିଯିବେ। ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ୧୨୦ଟି କରୋନା ଟୀକା ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ସେହିପରି ୨୦ଟି ଟୀକା କ୍ଲିନିକାଲ ଟ୍ରାଏଲ୍‌ ପର୍ଯ୍ୟାୟରେ ରହିଛି। ଏକ ରିପୋର୍ଟ ଅନୁସାରେ ଟୀକା ପ୍ରସ୍ତୁତିରେ ଧନୀ ଏବଂ ଶକ୍ତିଶାଳୀ ଦେଶ ଆଗୁଆ ରହିଛନ୍ତି। ୨୦୦୯ରେ ସ୍ବାଇନ୍‌ ଫ୍ଲୁ ସମୟରେ ମଧ୍ୟ ଧନୀ ଏବଂ ଶକ୍ତିଶାଳୀ ଦେଶରେ ଏହାର ପ୍ରତିଷେଧକ ଟୀକା ପ୍ରଥମେ ମିଳିଥିଲା। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ ଧନୀ ଏବଂ ଶକ୍ତିଶାଳୀ ଦେଶ ଶହେକୋଟିରୁ ଅଧିକ କରୋନା ଟୀକା ଡୋଜ୍‌ ପୂର୍ବରୁ ସଂରକ୍ଷିତ ରଖିଛନ୍ତି। ଏନେଇ ସେମାନେ ନିର୍ମାତଙ୍କଠାରେ ବୁକିଂ ମଧ୍ୟ କରିସାରିଛନ୍ତି। ସାରା ପୃଥିବୀ ପାଇଁ ୭ ଶହ କୋଟିରୁ ଅଧିକ ଡୋଜ୍‌ କେରାନା ଟୀକା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଲଣ୍ଡନସ୍ଥିତ ଆନାଲିଟିକ୍ସ୍‌ ଫାର୍ମ ଏୟାର ଫିନିଟି ରିପୋର୍ଟ ଅନୁସାରେ ବ୍ରିଟେନ୍‌, ଆମେରିକା, ୟୁରୋପୀୟ ସଂଘ ଏବଂ ଜାପାନ ବର୍ତ୍ତମାନ ସୁଦ୍ଧା ୧୩୦ କୋଟି ଟୀକା ସଂରକ୍ଷିତ କରି ସାରିଛନ୍ତି। ଏୟାର ଫିନିଟିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରସମଚ ବିଚ୍‌ ହେନ୍ସନଙ୍କ ଅନୁସାରେ ଜଣଙ୍କୁ ଦୁଇ ଥର ମଧ୍ୟ ଟୀକା ଦେବାର ଆବଶ୍ୟକତା ରହିଛି। ରିପୋର୍ଟ ଅନୁସାରେ ଭାରତରେ ଟୀକା କେବେ ମିଳିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

Share