Categories: ଫୁରସତ

ଶାଢ଼ି ପିନ୍ଧି ବୁଲେଟରେ ବୁଲିବେ ୪୦ ଦେଶ

ପୁଣେ: ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା, ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାର ପ୍ରୟାସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପୁଣେର ରାମାବାଇ ଲଟ୍‌ପଟେ ନାମ୍ନୀ ମହିଳା ଶାଢ଼ି ପିନ୍ଧି ଏକାକୀ ୪୦ ଦେଶର ୮୦ହଜାର କିଲୋମିଟର ବାଇକ୍‌ ଯାତ୍ରା ଆରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ସେ ମୁମ୍ବାଇ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରୁ ଦିଲ୍ଲୀ ଅଭିମୁଖେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀରୁ ସେ ପ୍ରଥମେ ଅଷ୍ଟ୍ରେଲିଆ ଯିବେ। ତାଙ୍କର ଏହି ଯାତ୍ରା ସମୟରେ ସେ ମହାରାଷ୍ଟ୍ରର ନାଉରାଭି ଶାଢ଼ି ପିନ୍ଧିବେ। ଏହି ଯାତ୍ରାରେ ରାମାବାଈ ଜି୨୦ ରାଷ୍ଟ୍ର ସମୂହର ୧୨ ଏବଂ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫ୍ରାନ୍ସ, ନ୍ୟୁୟର୍କ, ମରକୋ ଏବଂ ଦୁବାଇ ସମେତ ମୋଟ ୪୦ ଦେଶ ପରିଭ୍ରମଣ କରିବାର ଯୋଜନା ରଖିଛନ୍ତି। ରାମାବାଈ ଅଷ୍ଟ୍ରେଲିଆର ପର୍ଥ ଏବଂ ସିଡ୍‌ନୀ ମଧ୍ୟରେ ୧୬୦୦ କିଲୋମିଟର ଦୂରତାକୁ ଅତିକ୍ରମ କରିବେ, ଯେଉଁଠାରେ ଜନବସତି କିମ୍ବା ମୋବାଇଲ୍‌ ନେଟ୍‌ଓ୍ବର୍କ ମଧ୍ୟ ନାହିଁ। ଯାତ୍ରା ସମୟରେ ପ୍ରତିବନ୍ଧକ ଆସିବ ଏବଂ ଯିବ, ତାକୁ ଖାତିର ନ କରି ନିଜ ଲକ୍ଷ୍ୟ ପୂରଣ କରିବାର ଦୃଢ଼ ଆତ୍ମବିଶ୍ୱାସ ତାଙ୍କଠାରେ ଅଛି ବୋଲି ରାମାବାଈ କହିଛନ୍ତି।

Share