Categories: ଜାତୀୟ

ହିଜାବ ପାଇଁ କଲେଜ ସମ୍ମୁଖରେ ଆନ୍ଦୋଳନ

ବେଙ୍ଗାଲୁରୁ,୨୦।୧: ପ୍ରାୟ ୩ ସପ୍ତାହ ହେଲା କର୍ନାଟକର ଉଡୁପି ଜିଲାର ଏକ ସରକାରୀ କଲେଜ ଏବଂ ହିଜାବ ପିନ୍ଧିବାକୁ ଚାହୁଁଥିବା କିଛି ମୁସଲିମ ଛାତ୍ରୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁସଲିମ ଛାତ୍ରୀମାନେ ଗୁରୁବାର ସକାଳେ କଲେଜ ଗେଟ ଆଗରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ଛାତ୍ରୀମାନେ କହିଛନ୍ତି, ସେମାନଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ଦିଆଯାଉ ନାହିଁ। ଏହା ଦ୍ୱାରା ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ବିନା ହିଜାବରେ ପୁରୁଷ ଲେକଚରଙ୍କ ସାମ୍ନାରେ ବସିବାକୁ ସେମାନେ ଅସହଜ ମନେ କରୁଛନ୍ତି।

“ଆମେ ହିଜାବ ପିନ୍ଧି କଲେଜ ଆସିଥିଲୁ। କିନ୍ତୁ ଆମକୁ କ୍ଲାସରେ ବସିବାକୁ ଦିଆଗଲା ନାହିଁ” ବୋଲି ଆଲିୟା ନାମକ ଜଣେ ଛାତ୍ରୀ କହିଛନ୍ତି।

“ଆମକୁ ୨୦ ଦିନ ଧରି ହିଜାବ ପିନ୍ଧିବାକୁ ରୋକା ଯାଇଥିଲା। ଆମେ ନ୍ୟାୟ ଚାହୁଁ। ସମ୍ବିଧାନ ଆମକୁ ହିଜାବ ପିନ୍ଧିବାକୁ ଅଧିକାର ଦେଉଛି। କ’ଣ ପାଇଁ ଆମକୁ କଲେଜ ରୋକୁଛି” ବୋଲି ଅନ୍ୟ ଜଣେ ଛାତ୍ରୀ କହିଛନ୍ତି।

ବିକ୍ଷୋଭର ପୂର୍ବଦିନ କଲେଜ ଓ ଜିଲା ଅଧିକାରୀ ଛାତ୍ରୀଙ୍କୁ ଡ୍ରେସକୋର୍ଡ ସହ କଲେଜ ଆସିବାକୁ ଚରମବାଣୀ ଶୁଣାଇଥିଲେ। ଏହି ଘଟଣା ଉପରେ ରାଜ୍ୟର ଶିକ୍ଷାମନ୍ତ୍ରୀ ବି ସି ନାଗେଶ କହିଛନ୍ତି, ଏହା ଅନୁଶାସନ ବିରୋଧି। ସ୍କୁଲ ଏବଂ କଲେଜ ଧାର୍ମିକ ସ୍ଥଳ ନୁହେଁ। କ୍ୟାମ୍ପସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ସମର୍ଥତ୍ତ ଛାତ୍ରୀମାନେ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଏହି ଘଟଣାକୁ ରାଜନୀତିକରଣ କରୁଛନ୍ତି। କଲେଜରେ ଡ୍ରେସ୍‌ କୋଡ୍‌ ନିୟମ ୧୯୮୫ରୁ ଚାଲିଛି। ଏହା ବିରୋଧରେ ୧୫ରୁ ୨୦ ଦିନ ହେଲା ସେମାନେ ବିକ୍ଷୋଭ କରୁଛନ୍ତି। ଯେତେବେଳେ କଂଗ୍ରେସ ସରକାରରେ ଥିଲା, ସେମାନେ ନିୟମ ମାନୁଥିଲେ। କିନ୍ତୁ ତାଙ୍କୁ ଏବେ ସମସ୍ୟା ହେଉଛି। ସେମାନେ ଏବେ ସାମ୍ବିଧାନିକ ଅଧିକାର ମାଗୁଛନ୍ତି। ଅନୁଶାସନ ଏକ ଅଧିକାର ହୋଇପାରିବ ନାହିଁ।

Share