ମହାରାଷ୍ଟ୍ରରେ ଚିନ୍ତା ବଢ଼ାଉଛି କରୋନା: ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୪।୬: ମହାରାଷ୍ଟ୍ରରେ ପୁଣି ଥରେ କରୋନା ଭାଇରସ୍‌ ସଂକ୍ରମଣ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ହଜାରେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାଅଧିକାରୀଙ୍କୁ ଏକ ଚିଠି ଲେଖାଯାଇ ରାଜ୍ୟରେ ବର୍ଦ୍ଧିତ କରୋନା ମାମଲା ସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ବ୍ୟାସ ସମସ୍ତ ଜିଲାଧିକାରୀଙ୍କୁ ଲେଖିଥିବା ଚିଠିରେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହ ଅନେକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହ ଟ୍ରେନ୍‌, ବସ୍‌, ସିନେମା, ସଭାଘର, କାର୍ଯ୍ୟାଳୟ, ହସ୍ପିଟାଲ, କଲେଜ, ସ୍କୁଲ ଭଳି ବନ୍ଦ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ପ୍ରଦୀପ ବ୍ୟାସ କହିଛନ୍ତି।

Share