ବିଶ୍ୱବିଦ୍ୟାଳୟରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା, ମେକ୍‌ ଅପ୍‌ ନେବା ମନା

ଇସଲାମାବାଦ,୧୧।୧: ପାକିସ୍ତାନର ହାଜାରା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ତୋଗଲକୀ ଆଇନ ଜାରି କରିଛନ୍ତି। ପସ୍ତୁନଖ୍ବା ପ୍ରଦେଶରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କୁ ଟାଇଟ୍‌ ଜିନ୍ସ୍‌ ଏବଂ ଟି-ସର୍ଟ ପିନ୍ଧିବାକୁ ବାରଣ କରାଯାଇଛି। ସେହିପରି ଛାତ୍ରୀମାନେ ବିଶ୍ୱବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସିବା ସମୟରେ ମେକ୍‌ ନେବା କୌଣସି ଅଳଙ୍କାର ପିନ୍ଧିବାକୁ ମନା କରାଯାଇଛି। ବିଶ୍ୱବିଦ୍ୟାଳୟର ଏଭଳି ବିବାଦୀୟ ଡ୍ରେସ୍‌ କୋଡ୍‌କୁ ନେଇ ପ୍ରତିବାଦ କରାଯାଇଛି। ଛାତ୍ରମାନଙ୍କୁ ଶର୍ଟସ୍‌, ବେକରେ ଚେନ୍‌ ଏବଂ ସ୍ଲିପର ପିନ୍ଧି ନ ଆସିବାକୁ କୁହାଯାଇଛି। ଛାତ୍ରମାନଙ୍କୁ ଲମ୍ବା ଚୁଟି ରଖିବାକୁ ମନା କରାଯାଇଛି। ବିନା ପରିଚୟ ପତ୍ରରେ ବିଶ୍ୱବିଦ୍ୟାଳୟକୁ ନ ଆସିବାକୁ ଛାତ୍ରୀଛାତ୍ରଙ୍କ ଲାଗି ନିର୍ଦ୍ଦେଶ ଜାରି ହୋଇଛି। ଏଭଳି କୋଡ୍‌ ଲାଗୁ କରାଯାଇଥିବାରୁ ଶିକ୍ଷାର୍ଥୀମାନେ ବିରୋଧ କରିଛନ୍ତି। କର୍ମଚାରୀମାନେ ସଫା ଏବଂ ପରିଷ୍କାର ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି। ସେହିପରି ଶିକ୍ଷାଦାନ ସମୟରେ କଳାକୋଟ ପିନ୍ଧି ଆସିବାକୁ ଅଧ୍ୟାପକମାନଙ୍କ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।

Share