ଧୋକା ଦେଲା ମୌସୁମୀ: ଏହି ଦିନ ପର୍ଯ୍ୟନ୍ତ ଜାରି ରହିବ ଖରା

ଭୁବନେଶ୍ୱର, ୧୬।୬(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଓଡ଼ିଶାକୁ ସାଧାରଣତଃ ୧୨ ରୁ ୧୪ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥାଏ। ଏଥର କିନ୍ତୁ ୪ଦିନ ଆଗରୁ ମୌସୁମୀ ପ୍ରବେଶ କରିଥିଲା। ଏବେ ରଜ ସରିଯାଇଥିଲେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟକୁ ଅଗ୍ରସର ହୋଇପାରିଲା ନାହିଁ। ଓଡ଼ିଶାର ମାଲକାନଗରିକୁ ପ୍ରଥମେ ମୌସୁମି ପ୍ରବେଶ କରିଥିବା ବେଳେ ତିନିଦିନ ତଳେ ରାୟଗଡ଼ାକୁ ମୌସୁମୀ ଛୁଇଁଥିଲା। ପାଗ ଅନୁକୂଳ ନ ହେଉ ନ ଥିବାରୁ ମୌସୁମୀ ଆଉ ଆଗକୁ ଅଗ୍ରସର ହୋପାରୁ ନ ଥିବା ପାଣିପାଗ ବିଭାଗ ଆକଳନ କରିଛି। ତେବେ ମାଲକାନିଗରି, ରାୟଗଡ଼ାର ବିଭିନ୍ନ ସ୍ଥାନରେ ଏବେ ବର୍ଷା ହେଉଥିବା ବେଳେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅତ୍ୟଧିକ ତାପମାତ୍ରା ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଯଦିଓ ପଶ୍ଚିମ ଓଡ଼ିଶା, ଉପକୂଳ ଓଡ଼ିଶା ସମତେ ରାଜ୍ୟର ବିଭିନ୍ନ କାଳବୈଶାଖୀ ବର୍ଷା ହେଉଛି, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି ଲାଗୁଛି। ସକାଳ ୮ଟା ବାଜିଲେ ବି ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ଦେହରୁ ଝାଳ ବୋହିବା ବନ୍ଦ ହେଉନାହିଁ। ୨୦ତାରିଖ ପର୍ଯ୍ୟନ୍ତ ଏହିଭଳି ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସେପଟେ ରବିବାର ନୂଆପଡ଼ାରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ବୌଦ୍ଧ ୪୨, ଜଗତସିଂହପୁର ୪୦.୩, ଖୋର୍ଦ୍ଧା ୪୦.୫, ପାରଳାଖେମୁଣ୍ଡି ୪୦.୭, ଭୁବନେଶ୍ୱର ୪୦.୮, ନୟାଗଡ଼ ୪୦.୭, ଅନୁଗୋଳ ୪୦.୧ ଡିଗ୍ରୀ ତାପମାତ୍ରା ରହିଥିବା ପାରିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ସୋମବାରଠାରୁ ଗ୍ରୀଷ୍ମ ପ୍ରବାହ କମିବାକୁ ଥିବା ବେଳେ ଗୁଳୁଗୁଳି କିନ୍ତୁ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲାକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିକୁ ଉଷ୍ମ ଆର୍ଦ୍ର ପାଣିପାଗ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ୨୦ତାରିଖରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲାର କିଛି ଅୟ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ବେଳେ ଏସବୁ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି।

Share