Categories: ଜାତୀୟ

ଏହିସବୁ ସ୍ଥାନରେ ହେବ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ, ୨୯।୦୬: ଉତ୍ତର ପ୍ରଦେଶ, ଦିଲ୍ଲୀ ସମେତ ଉତ୍ତର ଭାରତରେ ମୌସୁମୀ ପହଞ୍ଚିଛି । ଏହାର ପ୍ରଭାବରୁ ବିଭିନ୍ନ ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ଏନେଇ କହିଛି ଯେ, ଉତ୍ତର ପଶ୍ଚିମ ଭାରତ ଏବଂ ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ଆଗମୀ ୪ରୁ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୌସୁମୀ ପୂର୍ବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ପ୍ରବେଶ କରିଛି । ଦୁଇ ତିନି ଦିନ ମଧ୍ୟରେ ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ହିମାଚଳ ପ୍ରଦେଶ, ଜମ୍ମୁରେ ମଧ୍ୟ ପହଞ୍ଚିଯିବ ।

ସୂଚନା ଥାଉକି, ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି । ଫଳରେ ରାସ୍ତାଘାଟ ବୁଡ଼ିଯିବା ସହିତ ବିଭିନ୍ନ ସମସ୍ୟା ଉପୁଜିଛି । ଦୀର୍ଘ ୮୮ ବର୍ଷ ପରେ ରାଜଧାନୀରେ ଜୁନ୍‌ ମାସର ଗୋଟିଏ ଦିନରେ ସର୍ବାଧିକ ବର୍ଷା ହୋଇଛି । ମୌସୁମୀ ପ୍ରଭାବରୁ ଦିଲ୍ଲୀରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆନୁମାନ କରିଛି ପାଣିପାଗ ବିଭାଗ । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଛନ୍ତି । ଶନିବାର ଦିଲ୍ଲୀ ଏନ୍‌ସିଆର, ଦ଼୍ବାରକା, ପାଲାମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରଗାଁଓ, ଫରିଦାବାଦ, ମନେସାର ଆଦି ଅଞ୍ଚଳରେ ବର୍ଷା ପବନ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

Share