ମିଳୁନି ମୂଲ୍ୟ, କ୍ଷତି ସହୁଛନ୍ତି ବୁଣାକାର

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): କରୋନାଜନିତ ଲକ୍‌ଡାଉନ ପାଇଁ ସମଗ୍ର ଓଡ଼ିଶାରେ ବୁଣାକାରମାନେ ଅସୁବିଧା ଭୋଗୁଛନ୍ତି। ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ବନ୍ଦ ଥିବାରୁ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇପାରୁନି। ଏଭଳି ସମୟରେ ବୁଣାକାର ଓ ହସ୍ତଶିଳ୍ପୀଙ୍କ ସାମଗ୍ରୀ କିଣିବାପାଇଁ ରାଜ୍ୟ ସରକାର ମାତ୍ର ୩୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ତେବେ ଏହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟର ବୁଣାକାର। ବୁଣାକାରଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ପ୍ରତିଷ୍ଠାନ ବୟନିକା, ଉତ୍କଳିକା, ସେରିଫେଡ୍‌ ଓ ସମ୍ବଲପୁରୀ ବସ୍ତ୍ରାଳୟ ବୁଣାକାରଙ୍କ ନିକଟରୁ ବସ୍ତ୍ର କିଣିବାବେଳେ ପାତର ଅନ୍ତର କରୁଛନ୍ତି। ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ କରାଯାଉଥିବାରୁ ବୁଣାକାରମାନେ ବିପୁଳ କ୍ଷତି ସହୁଥିବା ମହାସଂଘ ଗୁରୁତର ଅଭିଯୋଗ ଉଠାଇଛି। ମହାସଂଘର କହିବା କଥା, ଗତ ଅଗଷ୍ଟରେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ରାଜ୍ୟର ପ୍ରସିଦ୍ଧ ବୟନ ଗ୍ରାମ ଗୋପାଳପୁର ବୁଣାକାରଙ୍କ ନାହିଁ ନ ଥିବା କ୍ଷତି କରିଥିଲା। ବନ୍ୟା ପାଣି ଘରେ ପଶିଯିବା ଦ୍ୱାରା ବହୁ ଲୋକଙ୍କ ଘର ସହ ତନ୍ତ, ସୂତା ଓ ଉପତ୍ାଦିତ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ କ୍ଷତିର ଆକଳନ କରାଯାଇଥିଲେ ମଧ୍ୟ ଏଯାବତ ବନ୍ୟାବିପନ୍ନଙ୍କୁ କ୍ଷତିପୂରଣ ଦିଆଗଲାନାହିଁ। ମୁଖ୍ୟମନ୍ତ୍ରୀ ପ୍ରତି ବୁଣାକାରଙ୍କୁ ୪୧୦୦ ଟଙ୍କା ଲେଖାଏ ବନ୍ୟା ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ତାହା ବି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସେହିଭଳି ରାଜ୍ୟ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମହାତ୍ମା ଗାନ୍ଧୀ ବୁଣାକାର ବୀମା ଯୋଜନା ପ୍ରଣୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ବନ୍ଦ କରି ପ୍ରଧାନମନ୍ତ୍ରୀ ବୁଣାକାର ବୀମା ଯୋଜନା କାର୍ଯ୍ୟକାରୀ କରାଗଲା। ହେଲେ ସରକାର ଇତିମଧ୍ୟରେ ଏହି ବୀମା ଯୋଜନାକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ବୁଣାକାରଙ୍କ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସ୍ବାସ୍ଥ୍ୟ ବୀମା ଯୋଜନାକୁ ମଧ୍ୟ ୬ବର୍ଷ ହେବ ବନ୍ଦ କରି ଦିଆଯାଇଛି। ବାସଗୃହ ଏବଂ କର୍ମଶାଳା ନିର୍ମାଣ ପାଇଁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତାକୁ ବି ବନ୍ଦ କରିଦିଆଯାଇଛି। ବୁଣାକାରଙ୍କ ଏହି ସମସ୍ୟାର ସମାଧାନ ଲାଗି ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି।

Share