ସ୍ପାଇ ଥ୍ରୀଲର ‘ଖୁଫିୟା’ରେ ନଜର ଆସିବେ ତବ୍ବୁ

ମୁମ୍ବାଇ: ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ମୁଭି ‘ଖୁଫିୟା’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ନିକଟରେ ଏହି ମୁଭିର ଘୋଷଣା ସହ ଫିଲ୍ମରେ ଅଭିନୟ କରିଥିବା କଳାକାରଙ୍କ ଝଲକ ଦେଖାଯାଇଥିଲା। ଆଉ ଗୁରୁବାର ଅର୍ଥାତ୍‌ ୧୪ ସେପ୍ଟେମ୍ବରରେ ଏହାର ଟିଜର ରିଲିଜ ହୋଇଛି।
ଏହି ମୁଭିରେ ତବ୍ବୁ, ଅଲି ଫାଜଲ ଓ ଭାମିକା ଗବ୍ବି ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ତବ୍ବୁ ବଡ ପରଦା ପରେ ପୁଣିଥରେ ଓଟିଟି ପା୍ଲଟଫର୍ମରେ ତହଲକା ମଚାଇବାକୁ ଆସୁଛନ୍ତି। ସବୁବେଳେ ତବ୍ବୁଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରିଥିବା ବେଳେ ଏବେ ଦେଖିବାର ଅଛି ଏହି ମୁଭିରେ ତବ୍ବୁଙ୍କ ଅଭିନୟକୁ ଦର୍ଶକେ କେତେ ଗ୍ରହଣ କରୁଛନ୍ତି। ବିଶାଲଙ୍କ ଏହି ମୁଭି ଅମର ଭୂଷଣଙ୍କ ପୁସ୍ତକ ‘ଏସକେପ ଟୁ ନୋ ହୋୟର’ ଉପରେ ଆଧାରିତ।

ଫିଲ୍ମ ‘ଖୁଫିୟା’ର ଏହି ଟିଜରରେ ଅଲି ଫଜଲ କିଛି କାଗଜର ଫଟୋ କପି କରୁଥିବା ଦେଖିବାକୁ ମିଳିଛି। କ୍ୟାମେରା ମାଧ୍ୟମରେ ତବ୍ବୁ ସେମାନଙ୍କ ଉପରେ ନଜର ରଖିଥିବାର ନଜର ଆସିଛନ୍ତି। ଏହା ପରେ ଦେଖାଯାଏ ଯେ ମେଶିନରୁ କାଗଜ ବାହାରୁଛି ଏବଂ ଏଥିରେ ‘ଗୁପ୍ତଚର’ ଏବଂ ଶୀର୍ଷ ରହସ୍ୟ ଲେଖାଯାଇଛି। ଏହା ସହିତ ଫିଲ୍ମର ରିଲିଜ ଡେଟ ମଧ୍ୟ ଏହି ଟିଜର ମାଧ୍ୟମରେ କୁହାଯାଇଛି। ଫିଲ୍ମର ଟିଜର ସେୟାର କରିବାବେଳେ ଏହା ଲେଖାଯାଇଛି ଯେ ‘ଯଦି କିଛି ରହସ୍ୟ ରହସ୍ୟରେ ରହେ ତେବେ ଭଲ, କିନ୍ତୁ ଏହା ନୁହେଁ।
ଏହି ଟିଜରକୁ ଦେଖିଲେ ଜଣା ପଡିଛି ଯେ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ଖୁଫିୟା’ ଆସନ୍ତା ମାସ ଅକ୍ଟୋବର ୫ରେ ରିଲିଜ ହେବ। ଏହି ସସପେନ୍ସ ଭର୍ତ୍ତି ଟିଜର ଦେଖିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି।

Share