୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ ୮୬୭ ବୁଥ୍‌ରେ ଲାଇଭ୍‌ ଫୁଟେଜ୍‌ ପାଇଁ ଓ୍ବେବ୍‌କାଷ୍ଠିଂ ହେବ।

ଏଥିସହ ଏହି ବୁଥ୍‌ଗୁଡ଼ିକରେ ମାଇକ୍ରୋ ଅବଜର୍ଭର ରହିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶର ନିର୍ବାଚନ ଏକ ଗଣତାନ୍ତ୍ରିକ ପରମ୍ପରା। ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲା ପ୍ରଶାସନର କର୍ତ୍ତବ୍ୟ। ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ପ୍ରକ୍ରିୟାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଧାନସଭା ଓ ଲୋକ ସଭା ପାଇଁ ଏକକ ନିର୍ବାଚନ ହେଉଥିବାରୁ ସତର୍କତାର ସହ ନିରୀକ୍ଷଣ କରାଯାଉଛି। ଚଳିତଥର ମୋଟ ୧୪୪୫ଟି ବୁଥ୍‌ରୁ ୪୫୪ଟିରେ ପୁରୁଷ, ୯୨ଟିରେ ମହିଳା ଓ ଅବଶିଷ୍ଟ ୮୯୯ଟିରେ ମହିଳା ଓ ପୁରୁଷ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବେ। ମହିଳାଙ୍କ ଦ୍ୱାରା ପରିଚାଳିତ ୯୨ ବୁଥ୍‌ ସହ ପ୍ରତି ବିଧାନସଭା ଅଞ୍ଚଳରେ ଗୋଟିଏରେ ଭିନ୍ନକ୍ଷମ, ୫ଟିରେ ଯୁବ ଓ ୫ଟି କେନ୍ଦ୍ର ବିଷୟଭିତ୍ତିକ ହେବ। ଏହି ବୁଥ୍‌ ମଧ୍ୟରୁ ୫୭ଟି ସ୍ଥାନରେ ୬୪ ବୁଥ୍‌ ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ଚିହ୍ନଟ ହୋଇଥିବା ବେଳେ ୧୭୬ଟି ସ୍ଥାନରେ ଥିବା ୨୪୫ଟି ବୁଥ୍‌ ଉତ୍ତେଜନାପୂର୍ଣ୍ଣ ଭାବେ ଚିହ୍ନଟ ହୋଇଛି।

ଏଥିପାଇଁ ୮୬୭ଟି ସ୍ଥାନରେ ୱେବ୍‌କାଷ୍ଟିଂ, ୨୮୨ ସ୍ଥାନରେ ସିସିଟିଭି ଓ ୫୮ ସ୍ଥାନରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ଅଦ୍ୟାବଧି ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ବ୍ୟବହାର ହେବାକୁଥିବା ୩୦୬.୩୦୪ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି। ସେହିପରି ସି ଭିଜିଲ ଓ ଅଭିଯୋଗଗୁଡ଼ିକ ମଧ୍ୟରୁ ୩୬୨ ମାମଲା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲାର ୯ ବ୍ଲକ ଓ ୨ ପୌରାଞ୍ଚଳରେ ମୋଟ ୭୨୩୭ଟି ପୋଷ୍ଟାଲ ବାଲଟ୍‌ ପାଇଁ ଆବେଦନପତ୍ର ମିଳିଥିବା ବେଳେ ଘର ନିକଟରେ ୧୦୨୭, ମ୍ୟୁନିସିପାଲିଟି ବୁଥ୍‌ରେ ୪୭୧ଟି ଭୋଟ ଗ୍ରହଣ ହେବ ବୋଲି ସୂଚନା ମିଳିଥିବା ଜିଲା ନିର୍ବାଚନ ଅଧିକାରୀ ବିକାଶ କହିଛନ୍ତି। ଏସ୍‌ପି ସିଦ୍ଧାର୍ଥ କାଟରିଆ ଆଇନଶୃଙ୍ଖଳା ସମ୍ପର୍କରେ ମତ ରଖିଥିଲେ। ସମ୍ମିଳନୀରେ ଏଡିଏମ୍‌ ପୀତାମ୍ବର ସାମଲ, ଏଡିଏମ୍‌ ନିଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲାପାଳ ଅଶୋକ କୁମାର ଦାସ, ଡିଆଇପିଆର୍‌ଓ ଆଲୋକ ମହାନ୍ତି, ଏଡିଆଇପିଆର୍‌ଓ ଅଶୋକ କୁମାର ବଳିୟାରସିଂ ପ୍ରମୁଖ ସାମିଲ ଥିଲେ।