ହାତରେ ମେହେନ୍ଦୀ, ହଳଦୀ ଲଗାଇ ବସିଥିଲା କନ୍ୟା: ହେଲେ ଆସିଲାନି ବର…

ମହାରାଜଗଞ୍ଜ,୧୭।୫: ବିବାହକୁ ନେଇ ଅନେକ ଯୁବକ ଯୁବତୀ ବହୁ ସ୍ବପ୍ନ ଦେଖିଥାନ୍ତି। ସାତଜନ୍ମ ଯାଏ ଏକାସାଙ୍ଗରେ ରହିବାଠାରୁ ଆରମ୍ଭ କରି ସଂସାର ଗଢ଼ିବା ପର୍ଯ୍ୟନ୍ତ କେତେ ଯେ ସ୍ବପ୍ନ ଗୋଟିଏ ଝିଅ ଆଖିରେ ଲୁଚି ରହିଥାଏ। ହେଲେ ସବୁ ସ୍ବପ୍ନ କ’ଣ ସତ ହୁଏ। ବେଳେବେଳେ ହାତରେ ମେହେନ୍ଦୀ, ହଳଦୀ ଲଗାଇ ଓ ବାଡ଼ୁଅ ପାଣି ଗାଧୋଇ ମନର ମଣିଷ ଆସିବା ବାଟକୁ ଚାହିଁବସିଥାଏ କନ୍ୟା। କିନ୍ତୁ ବର ଆସେନାହିଁ। ସେହି ସମୟରେ ଝିଅର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଏ। କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ମହାରାଜଗଞ୍ଜରୁ। ମହାରାଜଗଞ୍ଜ ଜିଲାର ସଦର କୋତଓ୍ବାଲି ଅଞ୍ଚଳର ଏକ ଗାଁରେ ରହୁଥିବା ଉଭୟ ଯୁବକ ଓ ଯୁବତୀଙ୍କ ବିବାହ ମେ’୧୬ ବିବାହ ଅନୁଷ୍ଠିତ ହୋଇଥିଲା। ଘର ସହମତିରେ ଏହି ପ୍ରେମ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ବିବାହ ଦିନ ଫୋନ ଜରିଆରେ କନ୍ୟାଙ୍କୁ ବିବାହ ପାଇ ମନା କରିଦେଇଥିଲେ ବର। ଏହାଶୁଣି କନ୍ୟାଜଣଙ୍କ ସେଠାରେ ଅଚେତ୍‌ ହୋଇପଡ଼ିଥିଲେ। ପରେ ହୋସ୍‌ ଆସିବା ପରେ ସମସ୍ତ କଥା ନିଜ ପରିବାରଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ଓ କନ୍ୟା ସ୍ଥାନୀୟ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ଡକାଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ବର ବିବାହ ପାଇଁ ଅମଙ୍ଗ ହୋଇଥିବା ବେଳେ କନ୍ୟା କିନ୍ତୁ ବିବାହ ପାଇଁ ଜିଦ୍‌ ଧରିଥିଲେ। ତେବେ ବରଙ୍କ କହିବା କଥା ଯୁବତୀଙ୍କ ଅନ୍ୟ କାହା ସହ ସମ୍ପର୍କ ରହିଥିବା ଜାଣିବା ପରେ ସେ ଏହି ବିବାହ ପାଇଁ ଅରାଜି ହୋଇଛନ୍ତି। ଏହା ସତ୍ତ୍ୱେ ବି ପୋଲିସ ସମାଧାନ ପାଇଁ ଚେଷ୍ଟା ଚଳାଇଛି। ଯଦି କୌଣସି ନିଷ୍କର୍ସ ନ ବାହାରେ ତେବେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Share