Categories: ଫୁରସତ

୬୦ ଲକ୍ଷ ଟଙ୍କା ଅଗ୍ରୀମ ନେଇ ବିବାହରେ ପହଞ୍ଚିଲେନି ଫଟୋଗ୍ରାଫର, ଆଉ ତା’ ପରେ…

ପ୍ରତ୍ୟେକ ଦମ୍ପତି ଏବଂ ସେମାନଙ୍କ ପରିବାର ପାଇଁ ବିବାହ ଏକ ସ୍ମରଣୀୟ ମୁହୂର୍ତ୍ତ। କେବଳ ବରକନ୍ୟା ନୁହନ୍ତି ବରଂ ବିବାହକୁ ଆସିଥିବା ଅତିଥିମାନଙ୍କ ସ୍ମୃତିକୁ ବି ତାଜା କରିଥାଏ। ଏପରି ପରିସ୍ଥିତିରେ ବିବାହରେ ଫଟୋଗ୍ରାଫରମାନଙ୍କର ଦାୟିତ୍ୱ ଆହୁରି ଅଧିକ ବଢ଼ିଥାଏ। କିନ୍ତୁ ଥରେ ଭାବିଲେ ଫଟୋଗ୍ରାଫର ଆଗୁଆ ଟଙ୍କା ନେଇ ଯଦି ଶେଷ ମୁହୂର୍ତ୍ତରେ ଠକନ୍ତି, ତେବେ ପରିସ୍ଥିତି କ’ଣ ହେବ। ତରବରିଆ ଭାବେ ଅନ୍ୟ ଜଣେ କ୍ୟାମେରାମ୍ୟାନ ଖୋଜିବା ବି କଷ୍ଟକର ହୋଇଥାଏ। ଏବେ ସେମିତି ଏକ ମାମଲା ଚର୍ଚ୍ଚାରେ ରହିଛି।

ଆମେରିକାର ନ୍ୟୁ ଜର୍ସିରେ ରହୁଥିବା ଭାରତୀୟ ବଂଶୋଭବ ଡାକ୍ତର ଅମିତ ପଟେଲ ତାଙ୍କ ଝିଅର ବିବାହକୁ ସ୍ମରଣୀୟ କରିବା ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିଥିଲେ। ସେ ଏକ ଜଣାଶୁଣା କମ୍ପାନୀର ଫଟୋଗ୍ରାଫରଙ୍କୁ ଅଗ୍ରୀମ ଳକ୍ଷାଧିକ ଟଙ୍କା ଦେଇଥିଲେ। ବିବାହ ସ୍ଥାନ ଏବଂ ଫଟୋଗ୍ରାଫି ପାଇଁ ସବୁକିଛି ସ୍ଥିର ହୋଇଥିଲା। କ୍ଲେନ୍‌ ଗେସେଲ ନାମକ ଏହି ଫଟୋଗ୍ରାଫର ଶେଷ ମୁହୂର୍ତ୍ତରେ ତାଙ୍କ ଠାରୁ ଆଉ ଅଧିକ ଅର୍ଥ ଦାବି ରଖିଥିଲେ ଏବଂ ବିବାହରେ ପହଞ୍ଚି ନ ଥିଲେ।

ବିବାହର ୫ ଦିନ ପୂର୍ବରୁ ଫଟୋଗ୍ରାଫର ଗେସେଲ ନିଜେ ଏବଂ ସାଥୀ କ୍ୟାମେରାମ୍ୟାନ ରହିବା ବିଷୟରେ ମେଲ୍‌ କରିଥିଲେ। ବିଳାସପୂର୍ଣ୍ଣ ହୋଟେଲ, ଯେଉଁଠାରେ ବିବାହ ଚାଲିଛି ସେଠାରେ ରହିବାକୁ ସେମାନେ ଦାବି କରିଥିଲେ। ପୂର୍ବରୁ ସେମାନେ ଅନ୍ୟ ଏକ ହୋଟେଲରେ ରହିବାକୁ ପ୍ରସ୍ତୁତ ଥିଲେ। କମ୍ପାନୀ ଦ୍ୱାରା ରଖାଯାଇଥିବା ଏହି ଦାବିକୁ ଡାକ୍ତର ଅମିତ ମନା କରିଦେଇଥିଲେ। ତେଣୁ ଫଟୋଗ୍ରାଫର ବିବାହକୁ ଆଉ ଆସି ନ ଥିଲେ। ଏନେଇ ଝିଅଙ୍କ ବାପା ଅମିତ ଫଟୋଗ୍ରାଫରଙ୍କ ନାଁରେ ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

Share