ରାଜଧାନୀରେ ସଂକ୍ରମଣକୁ ରୋକିଲା ସପ୍ତାହନ୍ତ କର୍ଫ୍ୟୁ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସପ୍ତାହନ୍ତ କର୍ଫ୍ୟୁ ଏବଂ କଡ଼ା କଟକଣା ଲାଗୁ ହେବା ଯୋଗୁ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ସପ୍ତାହନ୍ତ କର୍ଫ୍ୟୁ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିଛି। ଆଇସିଏମଆର ସୁପାରିଶକ୍ରମେ ଏଠାରେ ତିନି ଗୁଣା ଅଧିକ ନମୁନା ପରୀକ୍ଷା କରାଯାଉଛି।

କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଲକ୍ଷଣ ନ ଥିବା ଲୋକଙ୍କୁ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ। ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରେ ଲକ୍ଷଣ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ନମୁନା ପରୀକ୍ଷା ନ କରିବାକୁ କୁହାଯାଇଛି।

ଦିଲ୍ଲୀରେ ଶୁକ୍ରବାର ୬୭,୬୨୪ ନମୁନା ପରୀକ୍ଷା ହୋଇଥିବାବେଳେ ଗୁରୁବାର ୭୯,୫୭୮ ନମୁନା ପରୀକ୍ଷା କରାଯାଇଛି। ଜାତୀୟ ରାଜଧାନୀରେ ଗୁରୁବାର ମୋଟ ୨୮,୮୬୭ ନୂତନ ସଂକ୍ରମଣ ହୋଇଥିବା ରିପୋର୍ଟ କରାଯାଇଛି। ଏହା ମହାମାରୀ ଆରମ୍ଭଠାରୁ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ। ବୁଧବାର ସହରରେ ୯୮,୮୩୨ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା।

ଏହା ସହିତ ରବିବାର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରାୟ ୧୭ ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବାର ଆଶା ରହିଛି। ସେ କହିଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ସ୍ଥିର ରହିଛି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଲାଗୁହୋଇଥିବା ପ୍ରତିବନ୍ଧକ ସଂକ୍ରମଣ ବ୍ୟାପିବାକୁ ରୋକିଥିବା ସେ କହିଛନ୍ତି। ପ୍ରତିବନ୍ଧକଗୁଡିକର ସମୀକ୍ଷା କରିବା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ତିନି-ଚାରି ଦିନ ପରିସ୍ଥିତି ଉପରେ ନଜର ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share