Advertisement

ସାପ୍ତାହିକ ହାଟ ପାଇଁ ହଟହଟା

ନନ୍ଦପୁର,୨୩ା୯ (ଶଙ୍କର ପୂଜାରୀ): ନନ୍ଦପୁର ବ୍ଲକ ଦେଇ ହାଣ୍ଡିପୁଟ-ସେମିଳିଗୁଡା ସଂଯୋଗ କରୁଥିବା ଏମଡିଆର-୫୫ ରାସ୍ତା ରହିଛି। ଏହା ମଧ୍ୟ ଜୟପୁର-ବିଶାଖାପାଟଣାକୁ ସଂଯୋଗ କରୁଛି। ଏହି ରାସ୍ତାରେ ସୁବାଇ, ବାଲଡା, ନନ୍ଦପୁର, ପାଡୁଆ, ସଗର ଓ ଥୁବା ଗ୍ରାମ ରହିଛି। ଏହି ଗ୍ରାମଗୁଡିକର ସାପ୍ତାହିକ ହାଟ ରାସ୍ତା କଡରେ ବସୁଥିବାରୁ ଟ୍ରାଫିକ ଅବ୍ୟବସ୍ଥା ଦେଖାଦେଉଛି। ସୋମବାର ସୁବାଇ, ମଙ୍ଗଳବାର ବାଲଡା, ବୁଧବାର ନନ୍ଦପୁର, ଗୁରୁବାର ପାଡୁଆ, ଶୁକ୍ରବାର ସଗର ଓ ଶନିବାର ଥୁବା ଗ୍ରାମରେ ସାପ୍ତାହିକ ହାଟ ବସୁଛି। ହାଟଦିନ ରାସ୍ତାର ଦୁଇ ପାର୍ଶ୍ୱରେ ବ୍ୟବସାୟୀଙ୍କ ପସରା ସାଙ୍ଗକୁ ସାମଗ୍ରୀ ପରିବହନ କରୁଥିବା ଗାଡ଼ି, ଖାଉଟି ଓ ସେମାନଙ୍କ ଗାଡ଼ିଗୁଡ଼ିକ ରଖିଥିବାରୁ ରାସ୍ତା ଜାମ ହେଉଛି। ରାସ୍ତାରେ ଯାତାୟାତ କରୁଥିବା ରୋଗୀବୁହା ଯାନ, ଯାତ୍ରୀବାହୀ ଗାଡ଼ି, ଭାରିଯାନ, ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାଟ ଭିତରେ ଅଳିଆ ଆବର୍ଜନା ସହ କାଦୁଅ ସ୍ଥିତି ଓ ଭଙ୍ଗା ଦଦରା ପିଣ୍ଡି ଯୋଗୁ ବ୍ୟବସାୟୀମାନେ ରାସ୍ତାକଡ଼ରେ ସେମାନଙ୍କ ସାମଗ୍ରୀ ଧରି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ହାଟ ପରିଚାଳନା କରୁଥିବା କୋରାପୁଟ ନିୟନ୍ତ୍ରିତ ବଜାର କମିଟି (ଆରଏମସି) କର୍ତ୍ତୃପକ୍ଷ ଚାଷୀ ଓ ବ୍ୟବସାୟୀଙ୍କଠାରୁ ହାଟ କର ଆଦାୟ କରୁଥିଲେ ମଧ୍ୟ ହାଟର ଦୁରବସ୍ଥା ଦୂର କରିବାକୁ ଚିନ୍ତା କରୁ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସମସ୍ତ ସାପ୍ତାହିକ ହାଟ ନନ୍ଦପୁର ଓ ପାଡୁଆ ପୋଲିସ ଥାନା ଅଧୀନରେ ରହିଛି। ଦୁଇ ଅଞ୍ଚଳର ଥାନା ଅଧିକାରୀ ନିଜ ନିଜ ଅଞ୍ଚଳରେ ଥିବା ସାପ୍ତାହିକ ହାଟ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଲାଗି ପୋଲିସ ମୁତୟନ କରିବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share