ଅବ୍ୟବସ୍ଥା ଘେରରେ ଭାଲିଆମୁଣ୍ଡା ସାପ୍ତାହିକ ବଜାର: ବ୍ୟବସାୟୀ ବସିବାକୁ ନାହିଁ ଆବଶ୍ୟକ ପିଣ୍ଡି

ଲୋଇସିଂହା,୭ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ସପ୍ତାହିକ ବଜାର ଅବ୍ୟବସ୍ଥା ଘେରରେ ରହିଛି। ବଜାରରେ ବ୍ୟବସାୟୀମାନେ ବିକ୍ରିବଟା କରିବା ଲାଗି ପିଣ୍ଡିର ଅଭାବ ରହିଛି। ପିଇବା ପାଣିର ବ୍ୟବସ୍ଥା ନାହିଁ। ଏହି ବଜାରରୁ ଭଲ ରାଜସ୍ବ ଆଦାୟ ହେଉଥିବାବେଳେ ଏପରି ଅବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଉକ୍ତ ସାପ୍ତାହିକ ହାଟ ବସିଥାଏ। ଗୋରୁ ହାଟ ସହ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଏଠାରେ ବିକ୍ରି ହୋଇଥାଏ। କେବଳ ଏହି ଅଞ୍ଚଳ ନୁହେଁ ପଠୋଶୀ ଜିଲା ସୁବର୍ଣ୍ଣପୁର, ବରଗଡ, କଳାହାଣ୍ଡି ଆଦି ଜିଲାର ଲୋକେ ଏହି ହାଟକୁ ବେପାର କରିବାକୁ ଆସିଥାନ୍ତି। କଭୋଡି କଟକଣା ଉଠିବା ପରେ ବଜାର ଏବେ ସ୍ବାଭାବିକ ହେଉଛି। ହେଲେ ବହୁ ପରୁଣା ଏହି ବଜାରରେ ବ୍ୟବସାୟୀ ବସିବାକୁ ଭଲ ପିଣ୍ଡି ନାହିଁ। ଯେଉଁ ପୁରୁଣା ପିଣ୍ଡି ଅଛି ସେଥିରେ ଛାଉଣୀ ନାହିଁ। କେତେକ ପଣ୍ଡି କାମ ଅଧାପନ୍ତରିଆ ଭାବେ ପଡିରହିଥିବା ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଜୟନ୍ତ ନାୟକ କହିଛନ୍ତି। ବଜାରକୁ ଆସୁଥିବା ଲୋକଙ୍କୁ ପିଇବା ପାଣି ଯୋଗାଇବା ଲାଗି ଆରଏମସି ଟିକଟ କେନ୍ଦ୍ରକୁ ଲାଗି ନଳକୂପ ଖନନ କରାଯାଇଛି। ବିଡମ୍ବନାର ବିଷୟ ଏହିକି ଯେ, ବର୍ଷେହେଲା ସେଥିରେ ଯନ୍ତ୍ରାଂଶ ଖଞ୍ଜା ଯାଇପାରିନାହିଁ। ଫଳରେ ବଜାରକୁ ଆସୁଥିବା ଲୋକେ ପାଣି ପାଇଁ ହଟହଟା ହେଉଛନ୍ତି। ବଜାର ଦୟିତ୍ୱରେ ଥିବା ଆରଏମସି କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉଚ୍ଚ ପଦସ୍ଥ ଅଧିକାରୀ ଯାହା କହି ପାରିବେ ବୋଲି କହିଛନ୍ତି।

Share