ଭୁବନେଶ୍ୱର,୯ା୧୧(ବ୍ୟୁରୋ): କାର୍ତ୍ତିକ ମାସ ଶେଷ ହେଲା। ଶୀତର ନାଁଗନ୍ଧ ନାହିଁ। ହାଲୁକା ଶୀତ ପଡ଼ିଥିଲେ ବି ପାରଦ ତଳମୁହାଁ ହେଉନାହିଁ। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲ୍ସିୟସ ଉପରେ ରହୁଥିବା ବେଳେ ଅଳ୍ପ କେତେକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହୁଛି। ଦିଲ୍ଲୀ ବାୟୁ ପ୍ରଦୂଷଣ ଶୀତ ଉପରେ ପ୍ରଭାବ ପକାଇଛି। ଉତ୍ତର ପୂର୍ବ ଦିଗରୁ ଆସୁଥିବା ପ୍ରଦୂଷିତ ବାୟୁ ଯୋଗୁ ପରିବେଶ ଉତ୍ତପ୍ତ ରହୁଛି। ଏଥିସହିତ ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଫଳରେ ତାପମାତ୍ରା କମିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଆସନ୍ତା ୧୦ ଦିନ ଯାଏ ରାଜ୍ୟରେ ହାଲୁକା ଥଣ୍ଡା ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିବା ସହ ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଆଦି ଜିଲାରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ କୋରାପୁଟ ୧୫, ସୁନ୍ଦରଗଡ଼ ୧୭.୫, ଭବାନୀପାଟଣା ୧୭.୨, ନୂଆପଡ଼ା ୧୮, ଖୋର୍ଦ୍ଧା ୧୮, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୮.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।