ବ୍ରହ୍ମପୁର ଅଫିସ,୨୪।୩: ଭାରତୀୟ ଭାରୋତ୍ତୋଳନ ସଂଘ ପକ୍ଷରୁ ମାର୍ଚ୍ଚ ୧୯ରୁ ୨୧ ପର୍ଯ୍ୟନ୍ତ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟଠାରେ ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାର ମୁନା ନାୟକ ୬୧ କେଜି ବର୍ଗରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ମୁନା ନିଜ ବର୍ଗରେ ବିଭିନ୍ନ ରାଜ୍ୟରୁ ଆସିଥିବା ୧୫ କ୍ରୀଡ଼ାବିତ୍ଙ୍କ ସହ ପ୍ରତିଯୋଗିତା କରିଥିଲେ। ସେ ୧୧୦ କେଜି ସ୍ନାଚ ଓ ୧୪୫ କେଜି କ୍ଲିନ ଜର୍କ କରିଥିଲେ। ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମର ମୁନା ଯୋଗୀ ନାୟକଙ୍କ ପୁଅ। ଗରିବ ପରିବାରରୁ ଆସିଥିବା ମୁନା ଏଯାବତ କୌଣସି ସରକାରୀ ସହାୟତା ପାଇନାହାନ୍ତି। ସହାୟତା ମିଳିିଲେ ତାଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପୂର୍ବ ପ୍ରସ୍ତୁତିରେ ସହାୟକ ହୋଇପାରନ୍ତା ବୋଲି ତାଙ୍କ ପୂର୍ବତନ କୋଚ୍ ସୀତା ଜେନା କହିଛନ୍ତି। ମୁନା ୨୦୧୪-୧୫ରେ ବ୍ରହ୍ମପୁର ଷ୍ଟାଡିୟମ କ୍ରୀଡ଼ା ଛାତ୍ରାବାସରେ ରହି ସୀତାଙ୍କଠାରୁ ତାଲିମ ନେଉଥିଲେ। ପରେ ସେ ୨୦୧୬ରୁ ୬ ବର୍ଷ ହେବ ମହାରାଷ୍ଟ୍ରର ପୁଣେସ୍ଥିତ ଆର୍ମି ସ୍ପୋର୍ଟ ଏକାଡେମୀରେ ରହି ଭାରୋତ୍ତୋଳନ କ୍ଷେତ୍ରରେ ପ୍ରଶିକ୍ଷିତ ହେବା ସହ ବହୁବାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମେ’ ୨ରୁ ୧୦ ପର୍ଯ୍ୟନ୍ତ ଗ୍ରୀସ୍ଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ନିମନ୍ତେ ପଞ୍ଜାବ ପଟିଆଲାର ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ଏକାଡେମୀରେ ଚାଲିଥିବା ଭାରୋତ୍ତୋଳନ ତାଲିମ କେନ୍ଦ୍ରରେ ଫେବୃୟାରୀ ୨୫ରୁ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ମୁନା ୨୦୧୯ରେ ପୁଣେରେ ଅନୁଷ୍ଠିତ ଦ୍ୱିତୀୟ ଖେଲୋ ଇଣ୍ଡିଆ ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ, ଗୟାଠାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ୨୦୨୦ ଆସାମ ଦିଶପୁରଠାରେ ଅନୁଷ୍ଠିତ ତୃତୀୟ ଯୁବ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ୫୫ କେଜି ବର୍ଗରେ ବ୍ରୋଞ୍ଜ ପଦକ ସମେତ ବହୁ ପଦକ ହାସଲ କରିଛନ୍ତି।