Advertisement

ଗଣଶିକ୍ଷା ବିଭାଗର ବିଚିତ୍ର ନୀତି: ଗୋଟିଏ ଚୌକିରେ ୨ ଅଧିକାରୀ

ପୁରୁଷୋତ୍ତମପୁର,୧୮।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗୀୟ କାର୍ଯ୍ୟାଳୟରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଯାହାକି ଶିକ୍ଷା ଅଧିକାରୀ (ବିଇଓ) ପଦବୀ ଗୋଟିଏ ରହିଥିବା ବେଳେ ବର୍ତ୍ତମାନ ଏଠାରେ ଦୁଇଜଣ ଅଫିସର କିଶୋର କୁମାର ବେହେରା ଓ ଏସ.ଗିରିଧାରୀ ଶିକ୍ଷା ଅଧିକାରୀ ଭାବରେ ରହିଛନ୍ତି। ଏହାକୁ ନେଇ ଲୋକେ ଡବଲ ଇଞ୍ଜିନ ସରକାରରେ ଡବଲ ଅଫିସର ବୋଲି କରୁଛନ୍ତି। ଏହା ଏଠାରେ ଏକପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି।
କିଶୋର କୁମାର ବେହେରା ପୁରୁଷୋତ୍ତମପୁରର ବିଇଓ ଭାବରେ ଗତ ୨୬.୧୦.୨୦୨୨ରୁ କାର୍ଯ୍ୟ କରି ଆସୁଛନ୍ତି। ମାତ୍ର ସେ ଗତ ଅଗଷ୍ଟ ମାସରେ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ଲାଗି ଛୁଟିରେ ରହିଥିବାରୁ ତାଙ୍କ ସ୍ଥାନରେ ହିଞ୍ଜିଳୀ ବ୍ଲକରେ କାର୍ଯ୍ୟରତ ସିନିୟର ବିଇଓ ଏସ ଗିରିଧାରୀଙ୍କୁ ସରକାରଙ୍କ ଏଲିମେଣ୍ଟରି ଏଜୁକେସନ ବିଭାଗୀୟ ଜଏଣ୍ଟ ଡାଇରେକ୍ଟର ଗତ ସେପ୍ଟେମ୍ବର ୯ ତାରିଖରେ ଚିଠିନଂ ୧୮୫୨୨ର ନିର୍ଦ୍ଦେଶନାମା ପ୍ରକାରେ ପୁରୁଷୋତ୍ତମପୁର ବ୍ଲକର ଦାୟିତ୍ୱ ଦେଇଥିଲେ। ଫଳରେ ସେ ସେପ୍ଟେମ୍ବର ୨୧ ତାରିଖରେ ପୁରୁଷୋତ୍ତମପୁର ବ୍ଲକର ଦାୟିତ୍ୱ ନେଇ ଉଭୟ ହିଞ୍ଜିଳୀକାଟୁ ଓ ପୁରୁଷୋତ୍ତମପୁର ବ୍ଲକର ଶିକ୍ଷାଅଧିକାରୀ ଭାବରେ ଦାୟିତ୍ୱ ତୁଲାଉଥିଲେ।
ଗତ ନଭେମ୍ବର ମାସ ୨୧ ତାରିଖରେ ପୁରୁଷୋତ୍ତମପୁର ବ୍ଲକର ସ୍ଥାୟୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ସୁସ୍ଥହୋଇ କାର୍ଯ୍ୟରେ ଯୋଗଦେବାକୁ ନେଇ ଜିଲା ଶିକ୍ଷା ଅଧିକାରୀ ନଭେମ୍ବର ମାସ ୨୫ ତାରିଖରେ ଚିଠି ନଂ ୨୧୨୧୫ ପ୍ରକାରେ କିଶୋର ଚନ୍ଦ୍ର ବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାଲାଗି ଅତିରିକ୍ତ ଦାୟିତ୍ୱରେ ରହିଥିବା ହିଞ୍ଜିଳି ବିଇଓ ଏସ ଗିରିଧାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅପର ପକ୍ଷରେ ପୁଣି ୨୩.୧୨.୨୦୨୪ ରେ ସରକାରଙ୍କ ଏଲିମେଣ୍ଟରି ଏଜୁକେସନ ଡାଇରେକ୍ଟର ଚିଠିନଂ ୨୫୪୮୨ ପ୍ରକାରେ ହିଞ୍ଜିଳୀକାଟୁ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗର ମୁଖ୍ୟ ଭାବରେ ଦର୍ଶାଇ ଫାଇନାନ୍ସିଆଲ ଦାୟିତ୍ୱ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶରେ ଗିରିଧର ଏଠାରେ ଦାୟିତ୍ୱ ତୁଲାଇବାରେ ଲାଗିଛନ୍ତି, ଏହାସହ ସେ ହିଞ୍ଜିଳି ବ୍ଲକର ସ୍ଥାୟୀ ବିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଗଣଶିକ୍ଷା ବିଭାଗୀୟ ଡାଇରେକ୍ଟରଙ୍କ ଏଭଳି ନିର୍ଦ୍ଦେଶକୁ ନେଇ ସଭିଙ୍କ ମଧ୍ୟରେ ଭ୍ରମସୃଷ୍ଟି କରିଛି। ଏଠିକାର ପ୍ରକୃତ ବିଇଓ କିଏ, କାହାକୁ ଅଧିକାରୀ ବୋଲି ବିବେଚନା କରାଯିବ ତାହା ସଭିଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଯଦି ହିଞ୍ଜିଳି ବିଇଓ ପୁରୁଷୋତ୍ତମପୁର ଶିକ୍ଷାବିଭାଗକୁ ଚଲାଇବେ ତେବେ ଏଠିକା ବିଇଓ କଣ କାର୍ଯ୍ୟ କରିବେ ନା କେବଳ ଅଫିସକୁ ଆସି ବସିବସି ଘରକୁ ଫେରିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। କିଛି ଲୋକେ ତାତ୍ସଲ୍ୟ କରି ଡବଲ ଇଞ୍ଜିନ ସରକାରରେ ଡବଲ ଅଫିସର ବୋଲି କହିବାରେ ଲାଗିଛନ୍ତି। ଏଥିପ୍ରତି ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

 

 

Share