Categories: ଫୁରସତ

କନିଆ ଛାତିରେ ଛେପ ପକାନ୍ତି ବାପା, ବର ଘର ଦିଅନ୍ତି ଯୌତୁକ; ବିବାହରେ ରହିଛି ଏଠାରେ ଏପରି ପରମ୍ପରା…

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ବିଭିନ୍ନ ପରମ୍ପରା ବା ରଶମ ରହିଛି। ଅନ୍ୟ ସମ୍ପ୍ରଦାୟର ଲୋକ ଏପରି ପରମ୍ପରାକୁ ଅଜବ ମାନୁଥିଲେ ମଧ୍ୟ ଏହି ପରମ୍ପରା ସମାଜ ଏବଂ ସମ୍ପ୍ରଦାୟକୁ ବାନ୍ଧି ରଖିଥାଏ। ଆଫ୍ରିକାର ଆଦିବାସୀ ଅଞ୍ଚଳରେ ଏହିପରି ଏକ ନିଆରା ପରମ୍ପରା ରହିଛି ଯାହାକୁ ସେଠାକାର ଜନଜାତିମାନେ ରୀତିନୀତିରେ ପାଳନ କରିଥାନ୍ତି। କେନିଆ ଏବଂ ତଞ୍ଜାନିଆରେ ବାସ କରୁଥିବା ମସାଇ ଜନଜାତିରେ ବିବାହକୁ ନେଇ ଏକ ପ୍ରଥା ରହିଛି। ଯେତେବେଳେ ଏହି ଜନଜାତିର ଝିଅ କନିଆ ବେଶରେ ସଜ ହୋଇଥାଏ ସେତେବେଳେ ତାଙ୍କ ପିତା ଝିଅର ଛାତିରେ ଛେପ ପକାଇଥା’ନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଉତ୍ତର-ମଧ୍ୟ କେନିଆ ଏବଂ ଉତ୍ତର ତଞ୍ଜାନିଆରେ ବାସ କରୁଥିବା ମସାଇ ଜନଜାତିର ଲୋକମାନେ ସାହାସୀ ଯୋଦ୍ଧା ଭାବରେ ଜଣାଶୁଣା। କିନ୍ତୁ ଏହି ସମ୍ପ୍ରଦାୟର ଏପରି ଅଦ୍ଭୁତ ପରମ୍ପରାକୁ ବିଶ୍ୱାସ କରାଯାଏ।
ମସାଇ ଜନଜାତିର ପରମ୍ପରାନୁସାରେ ବିବାହ ସମୟରେ ଝିଅ ପକ୍ଷ ଯୌତୁକ ଦିଅନ୍ତି ନାହିଁ। କାରଣ ଏଠାରେ ପୁଅ ଘରୁ ଯୌତୁକ ଆସିଥାଏ। ଯୌତୁକକୁ ଝିଅ ଘର ଲୋକ ଗ୍ରହଣ କରିବା ପରେ ବିବାହର ରୀତିନୀତି ଆଗକୁ ବଢିଥାଏ।

ଯୌତୁକକୁ ଗ୍ରହଣ କରିବା ପରେ କନିଆକୁ ଲଣ୍ଡା କରାଯାଇଥାଏ। ପରେ ପରିବାରର ବୟୋଜ୍ୟେଷ୍ଠ ବସିଥିବା ସ୍ଥାନକୁ ଝିଅକୁ ଅଣାଯାଏ। ସେଠାରେ ଝିଅ ଆଣ୍ଠୁମାଡି ବସିବା ପରେ ବାପା ଝିଅର ମଥା ଏବଂ ଛାତିରେ ଛେପ ପକାଇଥା’ନ୍ତି। ବାପାଙ୍କ ସହିତ ପରିବାରର ଅନ୍ୟ ଗୁରୁଜନମାନେ ମଧ୍ୟ ଝିଅର ମଥା ଓ ଛାତିରେ ଛେପ ପକାଇଥା’ନ୍ତି। ତେବେ ମସାଇ ଜନଜାତିର ପରମ୍ପରାନୁସାରେ ଗୁରୁଜନମାନେ ଛେପ ପକାଇ ଝିଅଙ୍କୁ ଆଶୀର୍ବାଦ କରଥାନ୍ତି। ଛେପ ପକାଇ ସେମାନେ ସୁଖମୟ ବିବାହ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥା’ନ୍ତି। ମସାଇ ପରମ୍ପରାରେ ଛେପ ପକାଇବାକୁ ଅଭିବାଦନ ରୂପେ ବିବେଚନା କରାଯାଏ। ଏହା ସହିତ ନିଜ ପ୍ରିୟଜନଙ୍କୁ ବିଦାୟ ଦେବାର ପ୍ରତୀକ ଭାବେ ମଧ୍ୟ ବ୍ୟବହାର କରାଯାଏ।

କେବଳ ବିବାହରେ ନୁହେଁ, ଏହି ଜନଜାତିଙ୍କର ପରିବାରରେ ସନ୍ତାନ ଜନ୍ମ ହେଲେ ଶିଶୁ ଉପରେ ଛେପ ପକାଯାଏ। ଏବଂ ଶିଶୁର କପାଳରେ ଛେପ ଲଗାଯାଏ। ଏହା ବ୍ୟତୀତ ଗାଁ ଲୋକ କିମ୍ବା ଅତିଥିଙ୍କୁ ଭେଟିବାବେଳେ ହାତରେ ଛେପ ଲଗାଇ ହ୍ୟାଣ୍ଡସେକ୍‌ କରାଯାଇଥାଏ। ଏଠାରେ ଆସୁଥିବା ବିଦେଶୀ ଆଗନ୍ତୁକମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ଅଭ୍ୟର୍ଥନା ଜଣାଯାଏ।

 

Share