Categories: ଖେଳ

ଓଭିଏ କାର୍ଯ୍ୟକାରିଣୀରେ ୨ ନୂଆ ସଦସ୍ୟଙ୍କୁ ସ୍ବାଗତ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଭଲିବଲ ଆସୋସିଏଶନ (ଓଭିଏ)ର କାର୍ଯ୍ୟକାରିଣୀ ବୈଠକ ରବିବାର କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ କାଉନ୍ସିଲ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଓଭିଏର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ ଏଥିରେ ଅଧ୍ୟକ୍ଷତା କରିଥିଲେ। ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସୁପାରିସ୍‌କ୍ରମେ ଯାଜପୁର ଜିଲାର ଗ୍ରାମାଞ୍ଚଳରେ ଗତ କିଛିବର୍ଷ ଧରି ଜାତୀୟସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଆୟୋଜନ କରିଆସୁଥିବା ବିଜୟ କୁମାର ଧଳଙ୍କୁ ଉପସଭାପତି ପଦରେ ନିଯୁକ୍ତ କରାଯାଇଛି। ସେହିପରି କ୍ରୀଡ଼ାକ୍ଷେତ୍ରକୁ ବିଶେଷ କରି ଭଲିବଲକୁ ଅବଦାନ ପାଇଁ ଫୁଲବାଣୀର ଶିବ ପ୍ରସାଦ ତ୍ରିପାଠୀଙ୍କ ନାମ ମଧ୍ୟ ଅଚ୍ୟୁତ ସୁପାରିସ୍‌ କରିଥିଲେ। ଓଭିଏର କାର୍ଯ୍ୟକାରିଣୀରେ ଏହି ଦୁଇ ସୁପାରିସ୍‌କୁ ନିର୍ବିବାଦରେ ଗ୍ରହଣ କରାଯାଇଥିଲା। ନୂଆ ସଦସ୍ୟଙ୍କୁ ଓଭିଏ ଉପସଭାପତି ଜନାର୍ଦ୍ଦନ ଦାଶ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ସମ୍ପାଦକ ଗଗନେନ୍ଦୁ ଦାଶ ୨୦୨୨ରେ ଓଡ଼ିଶା ଭଲିବଲ ଆସୋସିଏଶନର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବର୍ଷ ୧୩ ଓଡ଼ିଶା ଖେଳାଳି କିଟ୍‌ ପରିସରରେ ଅନୁଷ୍ଠିତ ଭାରତୀୟ ଦଳର ବିଭିନ୍ନ କୋଚିଂ କ୍ୟାମ୍ପ୍‌ରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ୨ ଜଣ ପଦକ ବିଜେତା ହୋଇଥିଲେ। ଓଭିଏର ସିନିୟର ଉପସଭାପତି ସୟଦ ଅକ୍‌ମଲ ଅଲୀ ଧନ୍ୟବାଦ ଅର୍ପଣ କରିଥିଲେ।

Share