ଝାରସୁଗୁଡ଼ାରେ ୟୁକ୍ରେନ୍‌ ଫେରନ୍ତା ଛାତ୍ରୀଛାତ୍ରଙ୍କୁ ସ୍ବାଗତ

ଝାରସୁଗୁଡ଼ା ଅଫିସ,୫ା୩: ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗ ରହିଛି। ଏଥିରେ ୟୁକ୍ରେନ୍‌ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି। ୟୁକ୍ରେନ୍‌ରେ ଅଧ୍ୟୟନ କରୁଥିବା ଭାରତର ଡାକ୍ତରୀ ଓ ଇଞ୍ଜିନିୟରିଂ ଛାତ୍ରୀଛାତ୍ର ନିଜ ଦେଶକୁ ଫେରି ନ ପାରି ଫସି ରହିଛନ୍ତି। ଅଭିଭାବକମାନେ ନିଜ ଝିଅପୁଅଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରୁଛନ୍ତି। ଏ ନେଇ ଉଭୟ ସରକାର ତତ୍ପରତା ପ୍ରକାଶ କରି ୟୁକ୍ରେନ୍‌ରେ ଫସିଥିବା ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟାୟ କ୍ରମେ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ସମୁଦାୟ ୧୩ ଛାତ୍ରୀଛାତ୍ର ନୂଆଦିଲ୍ଲୀ ଦେଇ ଶୁକ୍ରବାର ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରେ ପହଞ୍ଚତ୍ ଥିଲେ। ସେମାନେ ହେଲେ ରାଉରକେଲାର ଓଇସିକା ଚକ୍ରବର୍ତ୍ତୀ, ଆଶୁତୋଷ ମିଶ୍ର, ସୁଶାନ୍ତ କୁମାର ପାତ୍ର, ଅର୍ପିତା ସାହୁ, ନୂଆପଡ଼ାର ମୀନକେତନ ମେହେର, ଅଭିଷେକ ସାହୁ, ବଲାଙ୍ଗୀରର ସତ୍ୟାଂଶୀ ସୌମ୍ୟ, ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ନିହାର ରଞ୍ଜନ କୁମ୍ଭାର, ବରଗଡ଼ର ବର୍ଷାରାଣୀ ସାହୁ, ସମ୍ବଲପୁରର ମଧୁସୂଦନ ମିଶ୍ର, ରେଢାଖୋଲର ପ୍ରଶାନ୍ତ କୁମାର ଦାସ, କୁଚିଣ୍ଡାର ୟୁରେକା ଚୌଧୁରୀ, ସୁନ୍ଦରଗଡ଼ର ଯୋଗେଶ ଆଶିଷ ନନ୍ଦ।

ପୂର୍ବରୁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ଭାବବିହ୍ବଳ ପରିସ୍ଥିତି ଦେଖିବାକୁ ମିଳିଥିଲା। ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏଥିରେ ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝି, ଜିଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର, ଆଇଆଇସି ସୁବାସ ଚନ୍ଦ୍ର ଭୋଇଙ୍କ ସମେତ ବିମାନ ବନ୍ଦର କର୍ତ୍ତୃପକ୍ଷ ସାମିଲ ଥିଲେ। ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଛାତ୍ରୀଛାତ୍ର ସେମାନଙ୍କ ସଂଘର୍ଷମୟ ଅନୁଭୂତି ଗଣମାଧ୍ୟମ ଆଗରେ ବଖାଣିଥିଲେ।