Advertisement

ହକି ବିଶ୍ୱକପ୍‌କୁ ଭବ୍ୟ ସ୍ବାଗତ: ଶୋଭାଯାତ୍ରାରେ ୨୦୦ ଫୁଟର ଜାତୀୟ ପତାକା

ଦେବଗଡ଼,୫ା୧(ଡି.ଏନ୍‌.ଏ.) ପୁରୁଷ ହକି ବିଶ୍ୱକପ୍‌ ଟ୍ରଫିକୁ ଗୁରୁବାର ସକାଳେ ଦେବଗଡ଼ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବସରରେ ଇନ୍ଧିରା ଗାନ୍ଧୀ ଷ୍ଟାଡିୟମଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହକି ରନ୍‌ କରାଯାଇଥିଲା। ଏପରିକି ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଜଣାଅଜଣା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଆଇ ଲଭ ଦେବଗଡ଼ଠାରେ ହକି ବିଶ୍ୱକପକୁ ସ୍ବାଗତ କରାଯାଇଥିଲା।

ସ୍ବାଗତ ସମାରୋହରେ ସବୁବର୍ଗର ଜନସାଧାରଣ ସାମିଲ ହୋଇଥିଲେ। ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ୟାଣ୍ଡ, ଫୋର୍ଥ ଆଇଆର୍‌ବି ବ୍ୟାଣ୍ଡ ଦଳ ଓ ଜିଲା ଡ୍ରାଇଭର ମହାସଂଘ ଓ ସ୍କୁଲ ଛାତ୍ରୀଛାତ୍ର ୨୦୦ ଫୁଟ ଲମ୍ବର ଜାତୀୟ ପତାକାକୁ ଧରି ଏକ ସାଂସ୍କୃତିକ ଶୋଭାଯାତ୍ରାରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ସ୍ବାଗତ ସଭାରେ ପହଞ୍ଚିଥିଲେ। ସଭାରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲାରେ ହକି ଖେଳରେ ଗୌରବ ଆଣି ଥିବା ଆନ୍ତର୍ଜାତିକ ହକି ଖେଳାଳି ରୋଶନ ମିଞ୍ଜ, ଆଶିଷ ଟପ୍ନୋ, ରଶ୍ମିତା ମିଞ୍ଜ, ଆନନ୍ଦ ତିର୍କୀ ଓ ଜୁନିଅର ହକି ଗୋଲ୍ଡ ମେଡାଲଲିଷ୍ଟ ତିଶା ବାରିକ, ନିଶା ବାରିକ, ଜିତ ବାରିକ, ସୁସ୍ମିତା ସିଂହ, ସୁରେନ ଏକା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ରୁଦ୍ର କାଷି, ସାଇନାଥ ନାଏକ, ଜଣାଅଜଣା ପ୍ରତିଯୋଗିତାରେ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟର ସ୍ବାଗତ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସ ଉପସ୍ଥିତ ହୋଇ ଖେଳାଳିମାନଙ୍କୁ ଟ୍ରଫି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମୀୟ ମହାପାତ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଜିଲାର ୭୦ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ବିଭିନ୍ନ ସଙ୍ଗଠନର ସଦସ୍ୟ ଅଂଶଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel