ରାଜଦରବାରରେ ପୁରୁଷ ହକି ବିଶ୍ୱକପ୍‌ ଟ୍ରଫିକୁ ସ୍ବାଗତ

ମଥୁରାନଗରୀ,୩।୧ :ପୁରୁଷ ହକି ବିଶ୍ୱକପ୍‌ ଟ୍ରଫି ମଙ୍ଗଳବାର ସନ୍ଧ୍ୟାରେ ମଥୁରାନଗରୀ (ବରଗଡ଼)ରେ ପହଞ୍ଚିବା ପରେ ଟ୍ରଫିକୁ ନିଆରା ଭାବେ ସ୍ବାଗତ କରାଯାଇଛି। ଧନୁଯାତ୍ରା ଚାଲିଥିବାବେଳେ ଟ୍ରଫିକୁ କଂସ ଦରବାର(ରାଜ ଦରବାର)କୁ ନିଆଯାଇଥିଲା। ସେଠାରେ କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ଗହଣରେ ଟ୍ରଫି ଏବଂ ଟ୍ରଫି ଧରି ଆସିଥିବା ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏହାସହିତ ପୁରୁଷ ହକି ବିଶ୍ୱକପ୍‌ ଦେଖିବାକୁ ସମସ୍ତ ମଥୁରାବାସୀଙ୍କୁ ଆଦେଶ କରିଥିଲେ। ଭାରତରେ ଯେଭଳି ଏହି ଟ୍ରଫି ସବୁଦିନ ରହିବ ସେଥିପାଇଁ କଂସ ପ୍ରାର୍ଥନା କରିଥିଲେ। ସେହିପରି ଟ୍ରଫିକୁ ତାଙ୍କ ପାଖକୁ ପଠାଇଥିବା ଯୋଗୁ କଂସ ମହାରାଜ କଳିଙ୍ଗ ସମ୍ରାଟଙ୍କୁ ଧନ୍ୟବାଦ ଦେଇଥିଲେ।

ଏହାପୂର୍ବରୁ ଉକ୍ତ ଟ୍ରଫିକୁ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, କ୍ରୀଡ଼ାପ୍ରେମୀ ଏବଂ ବିଭିନ୍ନ ଅନୁଷ୍ଠାନର ସଭ୍ୟମାନେ ସ୍ବାଗତ କରିଥିଲେ। ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ଯୋଜନା କମିଟି ସଭ୍ୟ ସାଧୁ ନେପାକ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଅନ୍ତର୍ଜାତୀୟ ଖେଳାଳି ପଦ୍ମଶ୍ରୀ ପ୍ରମୋଦ ଭଗତ, ଦୂତୀ ଚାନ୍ଦ, ପଙ୍କଜ ଭୁଏ, ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ସ୍ମିତ୍‌ ପି. ପରମାର୍‌, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, କୃତ୍ତିବାସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସକାଳେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ ହୋଇଥିଲା ।

Share