କର୍ଫ୍ୟୁ ଭିତରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର,୧।୧(ବ୍ୟୁରୋ):ନା ଥିଲା ଚିକ୍‌ମିକ୍‌ ଲାଇଟ୍‌ ନା ଶୁଭୁଥିଲା କୋଳାହାଳ। ମଧ୍ୟରାତିର ସବୁ ଉତ୍କଣ୍ଠା, ଉତ୍ସାହରେ ରୋକ ଲଗାଇଥିଲା କରୋନା କଟକଣା। ରଙ୍ଗହୀନ ହୋଇଯାଇଥିଲା ଜିରୋନାଇଟ୍‌। କଟକ ଓ ଭୁବନେଶ୍ୱରରେ ୭ ଘଣ୍ଟିଆ କର୍ଫୁ ସତେ ଯେମିତି ସତର୍କ କରାଉଥିଲା। ନିର୍ଜନତା ଭିତରେ ସହର ଷ୍ଟ୍ରିଟ୍‌ ଲାଇଟ୍‌ ବି କିଛି ପରିବର୍ତ୍ତନର ଆହ୍ବାନ ଦେଉଥିଲା। ନୂଆବର୍ଷର ନୂଆ ଖୁସି ସାଉଣ୍ଟିବାକୁ ସଜାଗ କରୁଥିଲା କମିଶନରେଟ ପୋଲିସ୍‌ର ଘନଘନ ସାଇରନ୍‌। ୟାରି ଭିତରେ ନୂଆବର୍ଷକୁ ସ୍ବାଗତ କରିଥିଲେ ସହରବାସୀ। ନାଚଗୀତ ବଦଳରେ ଶାନ୍ତି ମନରେ ୨୦୨୦କୁ ବିଦାୟ ଦେଇ ନୂଆବର୍ଷର ନୂଆ ସ୍ପର୍ଶକୁ ଅନୁଭବ କରିଥିଲେ।
ଜିରୋନାଇଟ୍‌ରେ ପ୍ରତିବର୍ଷ ଦୁଲୁକି ଉଠେ ଦ୍ୱୈତନଗରୀ। କଟକ ଓ ଭୁବନେଶ୍ୱରର ହୋଟେଲ, କ୍ଲବ୍‌ଠାରୁ ଆରମ୍ଭ କରି କଲୋନୀ ସବୁଠି ବିଦାୟ ଓ ସ୍ବାଗତ ପାଇଁ ହୋଇଥାଏ ନାନା ଆୟୋଜନ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବରୁ କମିଶନରେଟ ପୋଲିସ ଜିରୋ ନାଇଟ୍‌ ସେଲିବ୍ରେଶନ ଉପରେ ରୋକ ଲଗାଇଥିଲେ। ଗୁରୁବାର ସକାଳୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାତି ୧୦ଟାରୁ ଶୁକ୍ରବାର ସକାଳ ୫ଟା ଯାଏ କର୍ଫ୍ୟୁ ଲଗାଇଥିଲା କମିଶନରେଟ ପୋଲିସ। କର୍ଫ୍ୟୁ ଆରମ୍ଭରୁ ସହର ମୁଖ୍ୟ ରାସ୍ତାରେ ପୋଲିସ ଗାଡ଼ି ପଇଁତରା ମାରିବା ସହ ସାଇରନ୍‌ ବଜାଇ ଲୋକଙ୍କୁ ସତର୍କ କରିଥିଲା। ଭିଡ଼ ଆଶଙ୍କାରେ କଟକଣା ଯୋଗୁ ସନ୍ଧ୍ୟାରୁ ଦୋକାନ, ବଜାର, ହୋଟେଲ୍‌ ଓ ବାର ସବୁ ବନ୍ଦ ରହିଥିଲା। ସହରବାସୀ ମଧ୍ୟ ନିଜେ ସଚେତନ ରହି ଏକତ୍ରିତ ହୋଇ ଭୋଜି ଓ ମଉଜମସ୍ତି କରି ନ ଥିଲେ। ସାରା ରାତି କମିଶନରେଟ ପୋଲିସ ବିଭିନ୍ନ ଛକ ଓ ପ୍ରମୁଖ ସ୍ଥାନରେ ସଜାଗ ରହିଥିଲା। ଯେଉଁ ଅଳ୍ପକିଛି ଲୋକ ଅମାନିଆ ହେଉଥିଲେ ସେମାନଙ୍କୁ ବୁଝାଇ ଛାଡୁଥିଲା। ଅବୁଝା ଅମାନିଆଙ୍କଠାରୁ ଜରିମାନା କଟାଯାଇଥିଲା। ରାଜଧାନୀରେ ଯାଞ୍ଚ ପାଇଁ ସମସ୍ତ ଥାନା ଅଧିକାରୀଙ୍କ ଅଧୀନରେ ୨୯ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ୪୪ ସ୍ଥାନରେ ରାସ୍ତାକୁ ନାକାବନ୍ଦୀ କରାଯାଇ ଯାଞ୍ଚ ହୋଇଥିଲା। ୮ଜଣ ଏସିପି ଓ ୩ ଜଣ ଅତିରିକ୍ତ ଡିସିପି ଏହାକୁ ମନିଟରିଂ କରିଥିଲେ। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ନିଜେ ରାଜଧାନୀରେ ବୁଲି ସୁରକ୍ଷା ଓ ଯାଞ୍ଚ ସ୍ଥିତିକୁ ତଦାରଖ କରିଥିଲେ। କମିଶନର ଷଡ଼ଙ୍ଗୀଙ୍କ ସହ ଡିସିପି ଉମାଶଙ୍କର ଦାଶ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବ୍ୟାରିକେଡ୍‌ ଲଗାଇ ଲୋକଙ୍କୁ ଅଟକାଉଥିବା ଦେଖିବାକୁ ମିଳିଥିଲା।

Share