ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳନ

କୋରାପୁଟ,୧।୧: ପୂଜାର୍ଚ୍ଚନା ସାଙ୍ଗକୁ ଭୋଜିଭାତରେ ଲୋକେ ନୂଆବର୍ଷ ୨୦୨୪କୁ ସ୍ବାଗତ କରିଛନ୍ତି। ଏପରିକି ଶ୍ରଦ୍ଧାଳୁ ନିଜ ପରିବାରର ମଙ୍ଗଳକାମନା ପାଇଁ ପ୍ରବଳ ଶୀତ ସତ୍ତ୍ୱେ ଭୋରରୁ ଶାବର ଶ୍ରୀକ୍ଷେତ୍ର ସମେତ ଗ୍ରାମଦେବୀ ମୁତ୍ୟୁଲୁ ମା’ ମନ୍ଦିର, ବାଟମଙ୍ଗଳା ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରିଥିଲେ।

ଏନେଇ କୋରାପୁଟ ସହର ଏକପ୍ରକାର ଲୋକାରଣ୍ୟ ହୋଇପଡ଼ିଥିଲା। ସେହିପରି ଡୁମୁରିପୁଟ ରାମ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ସୂଚନା ଯୋଗ୍ୟ, ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ସହ ଲୋକେ ବାଣ ଫୁଟାଇ ଧୁମଧାମ୍‌ରେ ନବବର୍ଷକୁ ସ୍ବାଗତ କରିଥିଲେ।

ସୋମବାର ନବବର୍ଷ ଅବସରରେ କୋରାପୁଟଠାରୁ ୧୫କିମି ଦୁର ତେଲେଙ୍ଗିର ଜଳ ଭଣ୍ଡାର କୁଳରେ ଶହଶହ ଲୋକଙ୍କ ଭିଡ଼ ଜମି ଥିଲା। ଲୋକେ ନିଜ ପରିବାର ଓ ସାଙ୍ଗସାଥୀ ସହ ଜଳଭଣ୍ଡାର କଡରେ ଭୋଜି ଭାତ ସହ ନାଚଗୀତ କରୁଥିବା ଦେଖିବାକୁ ମିଳିଥିଲା।

ଏପରି କି ଘୋଡାଦୋରା, ରାଣୀଗଡ଼ ଆଦିରେ ଲୋକେ ଭୋଜି ଭାତ କରି ନବବର୍ଷକୁ ସ୍ବାଗତ କରିଥିଲେ। ସେହିପରି ନୂତନ ବର୍ଷରେ କୋରାପୁଟ ଜିଲାର ଦେଓମାଳୀ, ପଣ୍ଡି, ରାଣୀ ଡୁଡୁମା, କେଚେଲା, କୋଲାବ ଡ୍ୟାମ୍‌, ଗୁପ୍ତେଶ୍ୱର, ଡୁଡୁମା, ଗୁଲୁମି ଆଦି ସ୍ଥାନରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ନିଜ ପରିବାର ସଦସ୍ୟଙ୍କ ସହିତ ଆସି ପ୍ରାକୃତିକ ପରିବେଶର ମଜା ନେଇଥିଲେ।

Share