Categories: ଜାତୀୟ

ରାୟକୁ ସ୍ବାଗତ, ହଟିବୁ ନାହିଁ

ନୂଆଦିଲ୍ଲୀ,୧୩ା୧: ସୁପ୍ରିମକୋର୍ଟ କୃଷି ଆଇନ ଉପରେ ମଙ୍ଗଳବାର ସ୍ଥଗିତାଦେଶ ଜାରି କରି ଦେଇଥିବା ରାୟକୁ କୃଷକ ସଙ୍ଗଠନଗୁଡ଼ିକ ସ୍ବାଗତ କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରା ନ ଯିବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ମଧ୍ୟ ଅଚଳାବସ୍ଥା ଦୂର ହେବା ନେଇ ଆଶା ଦେଖାଯାଉନାହିଁ।
ସମେତ ଜାତୀୟ ରାଜଧାନୀ ସଂଲଗ୍ନ ସୀମାରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ୪୮ ଦିନରେ ପହଞ୍ଚତ୍ଛି। ଆନ୍ଦୋଳନରତ ୪୦ କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ସୁପ୍ରିମକୋର୍ଟ ରାୟ ଆସିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ଲାଗି ଏକ ବୈଠକ ଡାକିଛି। ଏଥିରେ କୃଷକ ନେତାମାନେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ନିକଟରେ ସେମାନେ ହାଜର ହେବେ ନାହିଁ। ଆନୁଷ୍ଠାନିକ ନିଷ୍ପତ୍ତି ମୋର୍ଚ୍ଚା ପକ୍ଷରୁ ନିଆଯିବ। ମୋର୍ଚ୍ଚାର ବରିଷ୍ଠ ନେତା ଅଭିମନ୍ୟୁ କୋହର କହିଛନ୍ତି, କୃଷି ଆଇନର କାର୍ଯ୍ୟକାରିତା ସ୍ଥଗିତ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ସମ୍ପୂର୍ଣ୍ଣ ଆଇନକୁ ଉଚ୍ଛେଦ କରିବା ହେଉଛି ଆମର ଦାବି। କୃଷକ ନେତା ହରିନ୍ଦର ଲୋଖଓ୍ବାଲଙ୍କ ମତରେ ଆଇନ ନ ହଟାଯିବା ପର୍ଯ୍ୟନ୍ତ ବିକ୍ଷୋଭ ଚାଲିବ। କମିଟି ଉପରେ ଆମର ବିଶ୍ୱାସ ନାହିଁ। ଏକଥା ଆମେ ମୂଳରୁ କହିଆସୁଛୁ। ସରକାର କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଏବେ ସୁପ୍ରିମକୋର୍ଟ ସହ ଆମେ ଏହି କମିଟିର କାର୍ଯ୍ୟକାରିତା ଦେଖିବୁ ବୋଲି ଅଲ୍‌ କିଷାନ ସଭା (ପଞ୍ଜାବ) ଉପାଧ୍ୟକ୍ଷ ଲଖ୍‌ବୀର ସିଂ କହିଛନ୍ତି। କୃଷକ ନେତା ଜଶପ୍ରୀତ ସିଂ ସିଙ୍ଘୁ ସୀମାରେ କହିଛନ୍ତି, ୪ ମାସ ହେଲା ଆନ୍ଦୋଳନ କରୁଛୁ। ୭୦ ଜଣ ପ୍ରାଣ ହରାଇଲେଣି। ପଛଘୁଞ୍ଚା ଦେବୁ ନାହିଁ।
ପାଟନାସ୍ଥିତ ରାଜଭବନ ଆଗରେ ଆସନ୍ତା ୧୫ରେ ବିକ୍ଷୋଭ କରାଯିବ ବୋଲି ବିହାର କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିହାର କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି, କୃଷକମାନଙ୍କୁ ସମର୍ଥନ ଜଣାଇ ବିକ୍ଷୋଭ ଶୋଭାଯାତ୍ରା କରିବା ଲାଗି ଆମେ ସ୍ଥିର କରିଛୁ। ଏହି ପ୍ରସଙ୍ଗକୁ ନେଇ ସେପଟେ ହରିୟାଣାର ମନୋହରଲାଲ ଖଟ୍ଟାର ସରକାର ଉପରେ ବିପଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର ନ କଲେ ହରିୟାଣାର ଶାସକ ଭାଜପା-ଜେଜେପି ମେଣ୍ଟକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଜେଜେପିର ଏକ ବିଧାୟକ ଗୋଷ୍ଠୀ ଚେତାବନୀ ଦେଇଛନ୍ତି।

Share