ଉଷୁ ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବଡ଼ବିଲ,୧୩।୮(ଦେବପ୍ରିୟ ରଣା): ବିହାର ପାଟ୍‌ନାସ୍ଥିତ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୨୨ତମ କନିଷ୍ଠ ଜାତୀୟ ଉଷୁ ଚାମ୍ପିୟନଶିପ୍‌ରେ ଓଡ଼ିଶାକୁ ୯ ପଦକ ମିଳିଛି। ୨ ସ୍ବର୍ଣ୍ଣ ସହ ୨ ରୌପ୍ୟ ଏବଂ ୫ କାଂଶ୍ୟ ପଦକ ହାସଲ କରିଛନ୍ତି ଓଡ଼ିଶା ଖେଳାଳି। ଖେଳାଳିମାନେ ରବିବାର ଜନଶତାବ୍ଦୀ ଟ୍ରେନ୍‌ ଯୋଗେ ବଡ଼ବିଲରେ ପହଞ୍ଚିବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ବିହାର ପାଟ୍‌ନାସ୍ଥିତ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୨୨ତମ କନିଷ୍ଠ ଜାତୀୟ ଉଷୁ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୯ଟି ପଦକ ମିଳିଥିବା ନେଇ ଓଡ଼ିଶା ଉଷୁ କୋଚ୍‌ ପଙ୍କଜ ମହାନ୍ତି ସୂଚନା ଦେଇଛନ୍ତି।

ବାବୁଲୁ ମୁଣ୍ଡା ଏବଂ ସ୍ବେତାରାଣୀ ମହାନ୍ତି ସ୍ବର୍ଣ୍ଣ ପଦକ ହାସଲ କରିଥିଲା ବେଳେ ସୁମିତ୍ରା ମୁଣ୍ଡା ଏବଂ ପ୍ରେମ ମୁଣ୍ଡା ରୌପ୍ୟ ପଦକ ହାତେଇଛନ୍ତି। ସେହିପରି ରାଜକୁମାର ମୁଣ୍ଡା, ପ୍ରତୀକ କୁମାର ମହାପାତ୍ର, ପାୟଲ ପଟ୍ଟନାୟକ, ଆଶିଷ ଧିରଦେଓ ସାମନ୍ତ ଓ ନୂପୁର ପଟ୍ଟନାୟକ କାଂଶ୍ୟ ପଦକ ଅର୍ଜନ କରିବାକୁ ସକ୍ଷମ ହୋଇଛନ୍ତି। ରବିବାର ଖେଳାଳିମାନଙ୍କୁ ନେଇ ପଙ୍କଜ ବଡ଼ବିଲ ରେଳଷ୍ଟେଶନରେ ପହଞ୍ଚିବା ପରେ ସ୍ଥାନୀୟ ଜନସାଧାରଣ ଫୁଲତୋଡ଼ା, ଫୁଲମାଳ ଦେଇ ଖେଳାଳିମାନଙ୍କୁ ସ୍ବାଗତ ଜଣାଇଥିଲେ।