ଗରିବଙ୍କ କଲ୍ୟାଣ ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ଧର୍ମେନ୍ଦ୍ର

ମାହାଙ୍ଗା,୧ା୬(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଳକ ଅନ୍ତର୍ଗତ ବରାହିପୁରଠାରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମ୍ମିଳନୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ଗରିବ ଲୋକଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଷ୍ଟମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। କେନ୍ଦ୍ର ସରକାର ଦେଶର ଗରିବ, ମହିଳା, ଦଳିତ, ପଛୁଆବର୍ଗ ଓ ଯୁବକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ। କୃଷକଙ୍କ ପାଇଁ ସରକାର ପିଏମ୍‌ କିଷାନ ଯୋଜନାରେ ପ୍ରତିବର୍ଷ ୬ହଜାର ଟଙ୍କା ଲେଖାଏ ୧୦ କିସ୍ତିରେ ୪୦ ଲକ୍ଷ ଲୋକଙ୍କୁ ପ୍ରଦାନ କରିଛନ୍ତି। ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ପାଳିତ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗରିବ ଲୋକଙ୍କ କଲ୍ୟାଣ ଓ ମା’ଙ୍କୁ ସମ୍ମାନ ମୋଦି ସରକାରଙ୍କ ମୂଳଲକ୍ଷ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବଙ୍କୁ ଘର, ପାଣି, ବିଜୁଳି, ସ୍ବାସ୍ଥ୍ୟ ସେବା ସହ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ଯୋଗାଇ ଦିଆଯାଇଛି। ସେହିପରି ଚାଷୀଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମୋଦି ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ ଜନକଲ୍ୟାଣ କାର୍ଯ୍ୟକ୍ରମରେ ପରିଣତ ହୋଇଛି ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଥିଲେ। ଦେବ ପ୍ରସାଦ ଦାସ ଏଥିରେ ସଂଯୋଜନା କରିଥିବାବେଳେ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କଣ୍ଟ୍ରୋଲର ଆକାଉଣ୍ଟାଣ୍ଟ ବିନୋଦ କୁମାର, ଏନ୍‌ଆର୍‌ଆର୍‌ଆଇ ଡାଇରେକ୍ଟର ଡ. ପଦ୍ମିନୀ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ସିଜିଏମ୍‌ ନିରଜ ଏମ୍‌.ନିମ୍‌ଜୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମାହାଙ୍ଗାର ଚାଷୀ ଉଦ୍ଧବ ଚରଣ ପାଢୀ, ଶରତ ଜେନା, କମଳଲୋଚନ ମଲ୍ଲ, ମନୋଜ କୁମାର ନନ୍ଦ, ରୁକ୍ମିଣୀ ନାୟକ, ଅପର୍ଣ୍ଣା ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share