ଚିତ୍ରକୋଣ୍ଡା,୨୨।୧(ଡି.ଏନ୍.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ କାଦଗୁମ୍ମା ଗ୍ରାମର ନିଖୋଜ ମଙ୍ଗରା ପାଙ୍ଗି(୪୬)ଙ୍କ ମୃତଦେହ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ କାଦଗୁମ୍ମା ଗ୍ରାମର ମଙ୍ଗରା ସ୍ତ୍ରୀଙ୍କ ସହ ମିଶି ମାଛ ଧରିବାକୁ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଡଙ୍ଗାରେ ଯାଇଥିଲେ। ହେଲେ ଜଳଭଣ୍ଡାର ମଝିରେ ଡଙ୍ଗାରୁ ଖସିପଡ଼ି ମଙ୍ଗରା ନିଖୋଜ ହୋଇଯାଇଥିଲେ। ପାପରମେଟ୍ଲା ପୋଲିସ ଓ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ଖୋଜାଖୋଜି କରିଥିଲେ ସୁଦ୍ଧା ମଙ୍ଗରାଙ୍କ କୌଣସି ପତ୍ତା ମିଳି ନ ଥିଲା। ରବିବାର ପୁଣି ଖୋଜାଖୋଜି କରାଯାଇଥିଲା। ବହୁ ଖୋଜାଖୋଜି ପରେ ନିଖୋଜ ମଙ୍ଗରାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ପାପରମେଟ୍ଲା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୩/୨୦୨୩) ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ମାନସ ସ୍ବାଇଁ
କହିଛନ୍ତି।
ଅନ୍ୟପକ୍ଷେ ମଙ୍ଗରାଙ୍କ ପରିବାରକୁ ସରକାରୀ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁସାରେ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି କହିଛନ୍ତି।