ଚାକିରି ଆଶାରେ ଯାଇଥିଲେ, ଶବ ହୋଇ ଫେରିଲେ

ମୋରଡ଼ା,୩ା୬(ଡି.ଏନ୍‌.ଏ.): ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ ଦୁଇ ଭାଇ। ଆଶା ଥିଲା ଚାକିରି କରି ଭଲରେ ଭଲରେ ପରିବାର ପୋଷଣ କରି ମା-ବାପାଙ୍କ ନାଁ ରଖିବେ। କିନ୍ତୁ ଆଶା ଆଶାରେ ରହିଗଲା। ଦୁଇ ଭାଇଙ୍କ ମଧ୍ୟରୁ ଚାଲିଗଲା ଜଣେ ଭାଇଙ୍କ ଜୀବନ। ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର କରୁଣ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଉକ୍ତ ଦୁର୍ଘଟଣାରେ ରାସଗୋବିନ୍ଦପୁର ବ୍ଲକ ମଙ୍ଗଳପୁର ଗ୍ରାମର ଦୁଇ ଭାଇଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାର ସୂଚନା ମିଳିଛି।

ସୂଚନାନୁଯାୟୀ, ଦୁଇ ଭାଇ ଅନୁରାଗ ଦାସ, ଦିବ୍ୟନ୍ଦୁ ଦାସ ସିଟି ପରୀକ୍ଷା ଦେବାକୁ ଖୋର୍ଦ୍ଧା ଯାଇଥିଲେ। ପରୀକ୍ଷା ଦେଇସାରି ହାଓ୍ବଡ଼ା-ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍‌ରେ ଘରକୁ ଫେରୁଥିଲେ। କିନ୍ତୁ ଫେରିବା ବାଟକୁ ଚାହିଁ ବସିଥିଲା ମୃତ୍ୟୁ। ଉକ୍ତ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ। ଟ୍ରେନରେ ଥିବା ଦୁଇ ଭାଇଙ୍କ ମଧ୍ୟରୁ ଅନୁରାଗଙ୍କ ମୃତ୍ୟୁ ଘଟିଥିବା ବେଳେ ଦିବ୍ୟନ୍ଦୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Share