ନନ୍ଦପୁର, ୧୩ା୬ (ଡି.ଏନ.ଏ.): ନିଜ ଅଞ୍ଚଳରେ କୌଣସି କର୍ମସଂସ୍ଥାନ ନ ପାଇ ଗ୍ରାମର କେତେ ଜଣ ଲୋକଙ୍କ ସହ ଆନ୍ଧ୍ରର ବିଶାଖାପାଟଣାକୁ ଯାଇ କାମ କରୁଥିଲେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୁବୁଲାର ଗ୍ରାମର ପୁରନ୍ଦର କିନାଙ୍ଗ (୫୫)। କାମ କରୁଥିବା ବେଳେ ସେ ମୂର୍ଚ୍ଛା ରୋଗରେ ଆକ୍ରାନ୍ତ ହୋଇ ତଳେପଡି ମୃତ୍ୟୁବରଣ କରିଥିଲେ। ରବିବାର ରାତିରେ ତାଙ୍କ ଗାଁ ସୁବୁଲାରକୁ ମୃତଦେହ ଆସିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୋମବାର ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ପୁରନ୍ଦରଙ୍କ ଶ୍ରମିକ ପରିଚୟ ପତ୍ର କିମ୍ବା ବୀମା ନ ଥିବାରୁ ତାଙ୍କୁ ସରକାରୀ ସହାୟତା ମିଳିପାରିନାହିଁ। ଏବେ ପରିବାର କିପରି ଚଳାଇବେ ସେନେଇ ତାଙ୍କ ସ୍ତ୍ରୀ ଚିନ୍ତାରେ ଥିବା ୱାର୍ଡସଭ୍ୟ ଦଳପତି ଦୋରା କହିଛନ୍ତି। ସୂଚନାଯୋଗ୍ୟ, ନନ୍ଦପୁର ବ୍ଲକର ୨୩ଟି ପଞ୍ଚାୟତର ଅନେକ ଯୁବତୀଯୁବକ ସ୍ଥାନୀୟ ଅଞ୍ଚଳରେ କିଛି କାମ ନ ପାଇ ବାହାର ରାଜ୍ୟକୁ ଯାଇ ସେଠାରେ କାମ କରୁଛନ୍ତି। ଏହି ସମୟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ତେବେ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ସେମାନଙ୍କୁ ନିଜ ଜିଲା ପ୍ରଶାସନ କିମ୍ବା ସମ୍ପୃକ୍ତ ରାଜ୍ୟର ପ୍ରଶାସନ କୌଣସି ସହାୟତା କରୁ ନ ଥିବାରୁ ଅନେକ ସମୟରେ ଶ୍ରମିକମାନେ ଗ୍ରାମକୁ ଖାଲି ହାତରେ ଫେରୁଥିବା ଦେଖିବାକୁ ମିଳୁଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।