ବ୍ରହ୍ମପୁର,୩୧ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ନବ ଓରଫ ଲବ ସ୍ବାଇଁ(୩୦)। ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ସେହିପରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଲବଙ୍କ ମା’ ମନୁ ସ୍ବାଇଁ(୫୮)ଙ୍କୁ ବିଚାରପତି ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବ(ଡିଏଲ୍ଏସ୍ଏ)ଙ୍କୁ ନିର୍ଦ୍ଦେଶ ହୋଇଛି।
ମାମଲାର ବିବରଣୀରୁ ପ୍ରକାଶ, ଗତ ୨୦୨୩ ଜୁନ୍ ୨୮ ତାରିଖରେ ନିମଖଣ୍ଡି ଥାନା ଅଞ୍ଚଳରେ ଏକ ଭୋଜି ହେଉଥିଲା। ସେଠାକୁ ଜଣେ ୬ ବର୍ଷର ନାବାଳିକା ନିଜ ମା’ଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ। କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲେ। ଭୋଜି ପରେ ଝିଅକୁ ନ ପାଇ ତାଙ୍କ ମା’ ଚିନ୍ତିତ ହୋଇପଡ଼ିଥିଲେ। ଝିଅକୁ ଖୋଜିବା ପାଇଁ ମା’ ଘରକୁ ଆସୁଥିବା ବେଳେ ସାହିର ଏକ ଛାତ ଉପରୁ ଝିଅର ଚିତ୍କାର ଶୁଣିଥିଲେ। ସେଠାକୁ ଯିବାରୁ ଝିଅ ଘଟଣା ସମ୍ପର୍କରେ ତାଙ୍କୁ ସବୁ କହିଥିଲେ। ଲବ ମୋବାଇଲ ଦେଖାଇବା ବାହାନାରେ ଭୋଜି ଘରୁ ତାଙ୍କୁ ଡାକି ଆଣି ବଳାତ୍କାର କରିଥିବା ପୀଡ଼ିତା ତାଙ୍କ ମା’ଙ୍କୁ କହିଥିଲେ। ପରେ ପୀଡ଼ିତାଙ୍କ ମା ’ଏନେଇ ଅଭିଯୁକ୍ତଙ୍କ ମା’ ମନୁଙ୍କୁ କହିବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ। ପରେ ପୀଡ଼ିତାଙ୍କ ମା ଏନେଇ ଜୁଲାଇ ୩ତାରିଖରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ନଂ.୨୧୧/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଲବଙ୍କୁ ୫ ଜୁଲାଇରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଉଭୟ ଲବ ଓ ତାଙ୍କ ମା’ ମନୁ ସ୍ବାଇଁଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।