ଭବାନୀପାଟଣା/ଜୟପାଟଣା,୨୧।୧: କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରେ ୭ଜଣଙ୍କୁ ଧରି ଯାଉଥିବା ଏକ ଲଞ୍ଚ ଗୁରୁବାର ଅଟକି ଯାଇଥିଲା। ହେଲେ ଏକ ଆମ୍ବୁଲାନ୍ସ ଡଙ୍ଗା ପହଞ୍ଚି ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥୁଆମୂଳ ରାମପୁର ବ୍ଲକ ପୋଡାପଦର ପଞ୍ଚାୟତର ୧୭ ଖଣ୍ଡ ଗ୍ରାମ ରହିଛି। ଗ୍ରାମବାସୀଙ୍କ ଯିବା ଆସିବା ପାଇଁ ଏକ ଦେଶି ଲଞ୍ଚ ରହିଛି। ସୂଚନା ଯୋଗ୍ୟ, ଗୁରୁବାର ନବରଙ୍ଗପୁର ଜିଲା ବିଜ୍ରାଗୁଡ଼ା ଗ୍ରାମର ୭ଜଣ ଲୋକ ଏକ ନିର୍ବନ୍ଧ କାମରେ ଯୋଗ ଦେବାକୁ ଉପରପଙ୍ଗା ଗ୍ରାମକୁ ଲଞ୍ଚ ଯୋଗେ ଯାଉଥିଲେ। ହେଲେ ମଧ୍ୟାହ୍ନରେ ଜଳଭଣ୍ଡାର ମଝିରେ ଲଞ୍ଚଟି ଖରାପ ହୋଇଯାଇଥିଲା। ଲଞ୍ଚରେ ଥିବା ୭ଜଣ ଭୟଭିତ ଅବସ୍ଥାରେ ଅଠକି ରହିଥିଲେ। ଦୀର୍ଘ ସମୟ ପରେ ଏକ ଆମ୍ବୁଲାନ୍ସ ଡଙ୍ଗା ରୋଗୀଙ୍କୁ ଆଣିବା ପାଇଁ ଘୁଟୃଖାଲ ଅଭିମୁଖେ ଯାଉଥିଲା। ଡଙ୍ଗାକୁ ଦେଖି ଲୋକେ ଉଦ୍ଧାର କରିବାକୁ ଡାକ ପକାଇଥିଲେ। ପରେ ଆମ୍ବୁଲାନ୍ସ ଡଙ୍ଗା ପହଞ୍ଚି ଲଞ୍ଚରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା।