ଡେରାବିଶ, ୧୮ା୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ୨ନଂ. ୱାର୍ଡ଼ ବାବୁରାମପାଟଣା ଗାଁର ଦୁଇଜଣ ନାବାଳିକା ସାଙ୍ଗହୋଇ ଗାଁ ଦେଇ ଯାଇଥିବା ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ନାବାଳିକା ବୁଡ଼ିଯାଇଥିଲେ। ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ନାବାଳିକା ମଧ୍ୟ ବୁଡ଼ିଯାଇଛନ୍ତି। ସେଠାରେ ଗାଧୋଉଥିବା ଗାଁର ଜଣେ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଛନ୍ତି। ଦୁଇ ନାବାଳିକା ସାଙ୍ଗ ହେଲେ ବାବୁରାମପାଟଣା ଗାଁର ସନ୍ତୋଷ ସାହୁଙ୍କ ଝିଅ ଶୁଭଲକ୍ଷ୍ମୀ (୯) ଓ ଅନ୍ୟ ଜଣେ ସେହି ଗାଁର ବାବାଜୀ ସାହୁଙ୍କ ଝିଅ ପାପାଲି (୧୧)।
ସୂଚନା ଅନୁଯାୟୀ, ମଧ୍ୟାହ୍ନରେ ଶୁଭଲକ୍ଷ୍ମୀ ଓ ପାପାଲି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ପାପାଲିଙ୍କ ଗୋଡ଼ ଖସିଯିବାରୁ ସେ ଭାସିଯାଇ ଗଭୀର ପାଣିରେ ବୁଡ଼ିଯାଇଥିଲେ। ତେବେ ପାଖରେ ଥିବା ଶୁଭଲକ୍ଷ୍ମୀ ପାପାଲିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ନିଜେ ବୁଡ଼ିଯାଇଥିଲେ। ତେବେ ଶୁଭଲକ୍ଷ୍ମୀ ବୁଡ଼ିଯାଉଥିବା ବେଳେ ନଦୀରେ ଗାଧୋଉଥିବା ଗାଁର କାଳନ୍ଦୀ ମଲିକ ନାମକ ଜଣେ ବ୍ୟକ୍ତି ଶୁଭଲକ୍ଷ୍ମୀଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କଠାରୁ ଖବରପାଇ ଡେରାବିଶ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ପାପାଲିଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ। ତେବେ ଏଭଳି ଦୁଃଖଦ ଘଟଣା ଲାଗି ଗ୍ରାମରେ ଆଲୋଡ଼ନ ସୃଷ୍ଟି ହୋଇଛି। ଉଦ୍ଧାର ହୋଇଥିବା ଶୁଭଲକ୍ଷ୍ମୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ପରିବାର ଲୋକଙ୍କଠାରୁ ସୂଚନା ମିଳିଛି।