Categories: ଜାତୀୟ

ବାଇକ୍‌ ସହ ନାଳରେ ଭାସିଗଲେ ଯୁବକ, ୪ ଘଣ୍ଟା ପାଣିରେ ପହଁରି କଲେ ଜୀବନ ରକ୍ଷା

ରାୟପୁର,୧୩ା୮: ଛତିଶଗଡ଼ର ସରଗୁଜା ଜିଲାର ଉଦୟପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ଜଣେ ଯୁବକ‌ ବାଇକ୍‌ ସହ ନାଳପାଣିରେ ଭାସିଯାଇଥିଲେ। ମାତ୍ର ଯୁବକ ଜଣକ ପହଁରି ଜୀବନ ରକ୍ଷା କରିଥିବା ବେଳେ ବାଇକ୍‌ଟି ଭାସିଯାଇଥିଲା।
ସୂଚନାଯୋଗ୍ୟ, ପାରୋଗିୟା ଗ୍ରାମର ଜ୍ୟୋତି ସିଂହ ନାମକ ଜଣେ ଯୁବକ କୌଣସି କାମରେ ବ୍ଲକ ମୁଖ୍ୟାଳୟ ଉଦୟପୁରକୁ ଆସିଥିଲେ। ବୁଧବାର ପ୍ରବଳ ବର୍ଷା ହୋଇଥିଲା। ଫଳରେ ଏଥିରେ ଫସିଯାଇଥିଲେ ଜ୍ୟୋତି। ପ୍ରବଳ ଜଳ ସ୍ରୋତ ଯୋଗୁ ନିୟନ୍ତ୍ରଣ ହରାଇ ବାଇକ୍‌ ସହ ନାଳ ମଧ୍ୟକୁ ଖସିପଡ଼ିଥିଲେ। ପ୍ରାୟ ୪ ଘଣ୍ଟା ଧରି ସେ ପାଣିରେ ପହଁରି ପହଁରି ଜୀବନ ବଞ୍ଚାଇ ପାରିଛନ୍ତି। ତେବେ ବାଇକ୍‌ଟି ଭାସିଯାଇଥିଲା। ଖବର ପାଇ ସ୍ଥାନୀୟ ସରପଞ୍ଚ ଶ୍ରୀପାଳ ପୋର୍ତ୍ତି ଏବଂ ଗ୍ରାମବାସୀ ବାଇକ୍‌ଟିକୁ ରଶି ସହାୟତାରେ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ଜ୍ୟୋତି ସୁସ୍ଥ ଥିବା ଜଣାପଡ଼ିଛି।

Share