Categories: ଜାତୀୟ

ଟିକେଟ୍‌ ଦେବା ସତ୍ତ୍ୱେ ଭାଜପାରେ ମିଶିବାକୁ ମନା କଲେ ତୃଣମୂଳ କଂଗ୍ରେସ ନେତ୍ରୀ

କୋଲକାତା,୧୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରାର୍ଥୀ ଚୟନ ଚାଲିଛି। ଏବେ ଦଳଳେ ମିଶି ନ ଥିବା ଦୁଇ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇ ଚର୍ଚ୍ଚାକୁ ଆସିଛି ଭାଜପା। ପୂର୍ବତନ କଂଗ୍ରେସ ନେତା ସ୍ବର୍ଗତ ସୋମନ ମିତ୍ରଙ୍କ ସ୍ତ୍ରୀ ଶିଖା ମିତ୍ରଙ୍କୁ ଚୌରିଙ୍ଗି ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ତାଙ୍କ ଅନୁମୋଦନ ବିନା ଘୋଷଣା କରାଯାଇଛି ଏବଂ ସେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଶିଖା କହିଛନ୍ତି। ଭାଜପାରେ ଯୋଗଦେବା ଚର୍ଚ୍ଚାରେ ମଧ୍ୟ ସେ ବିରାମ ଲଗାଇଛନ୍ତି। ଭାଜପା ନେତା ତଥା ପାରିବାରିକ ବନ୍ଧୁ ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ ପରେ ଏଭଳି କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ଶିଖା ମିତ୍ର ଗଣମାଧ୍ୟମକୁ କହିଛନ୍ତି, ମୁଁ କୌଣସି ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ମୋର ଅନୁମତି ବିନା ମୋର ନାମ ଘୋଷଣା କରାଯାଇଥିଲ। ମୁଁ ମଧ୍ୟ ଭାଜପାରେ ଯୋଗଦେବି ନାହିଁ। ମୁଁ ତୃଣମୂଳ କଂଗ୍ରେସ ସହିତ ଅଛି ଏବଂ ରହିବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ସମୁଦାୟ ୮ଟି ପର୍ଯ୍ୟାୟରେ ୨୯୪ଟି ଆସନ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଦିଆଯିବ, ଶେଷ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ହେବ। ମେ ୨ ରେ ଭୋଟ ଗଣାଯିବ ଏବଂ ଫଳାଫଳ ଘୋଷଣା କରାଯିବ।

Share