ମୁଁ ରାଜନୀତି ଛାଡିଦେବି, କାନ ଧରି ଉଠ୍‌-ବସ୍‌ ହେବେ ମୋଦି: କାହିଁକି ଏମିତି କହିଲେ ଦିଦି

କୋଲକତା,୧୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ଏବେ ରାଜନୀତି ସରଗରମ ଅଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଦ୍ୱାରା ନିଷେଧାଦେଶ ପାଳନ କରିବା ପରେ ବାରସାତରେ ଏକ ନିର୍ବାଚନ ରାଲି କରିଥିଲେ। ଏହି ଅବସରରେ ଟିଏମସି ସୁପ୍ରିମୋ ମମତା ମୋଦି ଜଣେ ମିଥ୍ୟାବାଦୀ … ପ୍ରଧାନମନ୍ତ୍ରୀ ଜଣେ ମିଥ୍ୟାବାଦୀ … ନାରା ଦେଇଥିଲେ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି କୃଷ୍ଣନଗରରେ ଏକ ରାଲିରେ କହିଥିଲେ ଯେ, ମମତା ଦିଦି ମାତୁଆ ସମ୍ପ୍ରଦାୟ ପାଇଁ କିଛି କରିନାହାଁନ୍ତି। ଏହାର ଜବାବରେ ମମତା କହିଛନ୍ତି, ମୁଁ ସର୍ବସାଧାରଣରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରୁଛି, ଯଦି ମୁଁ ସେମାନଙ୍କ ପାଇଁ କିଛି କରି ନାହିଁ, ତେବେ ମୁଁ ରାଜନୀତି ଛାଡି ଦେବି, ଯଦି ତୁମେ ମିଛ କହୁଛ ପ୍ରମାଣିତ ହୁଏ ତେବେ ତୁମେ କାନ ଧରି ଏକ ସଭାରେ ଉଠ୍‌-ବସ୍‌ ହେବ। ଭାଜପା ମୋତେ ପ୍ରଚାରରୁ ନିବୃତ୍ତ କରିବାକୁ ଚାହୁଁଛି, କାରଣ ସେମାନେ ଆସୁଥିବା ପରାଜୟ ବିଷୟରେ ଅବଗତ ଅଛନ୍ତି। ଏହି କାରଣରୁ ନିର୍ବାଚନ ଆୟୋଗ ମୋ ଉପରେ ୨୪ ଘଣ୍ଟା ପ୍ରଚାର ନିଷେଧ ଲଗାଇଥିଲେ ବୋଲି ମମତା କହିଛନ୍ତି।

Share