Categories: ଜାତୀୟ

ଏଥର ପଶ୍ଚିମବଙ୍ଗରେ ନୁହେଁ, ଦିଲ୍ଲୀରେ ହେବ ପରିବର୍ତ୍ତନ: ମମତା

ସିଲିଗୁଡି,୭।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ‘ପଦଯାତ୍ରା’ ଆୟୋଜନ କରି ଇନ୍ଧନ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନୋଟ ବଦଳରେ ଭୋଟ ହାତେଇଥିବା ସେ ଅଭିଯୋଗ କରିଛନ୍ତି। ସେ ଖୋଲାଖୋଲି ଭାବେ ଭାଜପାକୁ ଚ୍ୟାଲେଞ୍ଜ କରି କହିଛନ୍ତି, ମୁଁ ଏହାର ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଯଦି ସେମାନେ ଭୋଟ କିଣିବାକୁ ଚାହାଁନ୍ତି, ତେବେ ଆପଣ ସେମାନଙ୍କଠାରୁ ଟଙ୍କା ନେଇ ଟିଏମସି ପାଇଁ ଭୋଟ ଦେବା ଉଚିତ୍‌। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ପଶ୍ଚିମବଙ୍ଗରେ ନୁହେଁ, ଦିଲ୍ଲୀରେ ପରିବର୍ତ୍ତନ ହେବ। ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭାଜପାର ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି। ଅନ୍ୟ ରାଜ୍ୟରେ ମହିଳାଙ୍କ ଅବସ୍ଥା ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ବିଶେଷ କଥା ହେଉଛି ପିଏମ ମୋଦି ମଧ୍ୟ ଏବେ ପଶ୍ଚିମବଙ୍ଗରେ ଅଛନ୍ତି। ସେ ଐତିହାସିକ କୋଲକାତା ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ବଙ୍ଗଳାବାସୀଙ୍କୁ ସମ୍ବୋଧିତ କରୁଛନ୍ତି।
ସୂଚନାଯୋଗ୍ୟ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

Share