Categories: ଜାତୀୟ

ନିଜକୁ ଗଧ ବୋଲି କହିଲେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇଛନ୍ତି। ଅଭିଯୋଗ କରିଛନ୍ତି ଯେ, ସେ ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପଦବୀରେ ବସିଥିବା ବେଳେ ୫୦୦୦ କୋଟି ଟଙ୍କା ଆତ୍ମସାତ କରିଛନ୍ତି। ପୂର୍ବ ମେଦିନାପୁରର ଦକ୍ଷିଣ କୋଟାଇରେ ଏକ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି ଯେ, ଦେଶଦ୍ରୋହୀ ବହୁତ ଟଙ୍କା ରୋଜଗାର କଲେ। ମୁଁ ବହୁତ ବଡ ଗଧ ଥିଲି। ମୁଁ ନିଜକୁ ଗଧ ବୋଲି କହୁଛି କାରଣ ମୁଁ ଜାଣି ନଥିଲି ଯେ ସେ ଏବେ କୋଟି ରୋଜଗାର କରିଛନ୍ତି। ମୋତେ କେହି ଜଣେ କହିଛନ୍ତି ଯେ, ସେ ପ୍ରାୟ ୫ ହଜାର କୋଟି ଟଙ୍କା ରୋଜଗାର କରିଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ ସମୟ ଆସିଛି ଯେ ଶୁଭେନ୍ଦୁ ଅଧିକାରୀଙ୍କ ଦୁର୍ନୀତିରୁ ମେଦିନାପୁରକୁ ମୁକ୍ତ କରାଯିବା ଉଚିତ୍‌। ମୁଁ ମେଦିନାପୁରର ଲୋକଙ୍କ ପାଇଁ କଠିନ ପରିଶ୍ରମ କରିଛି କିନ୍ତୁ ଦେଶଦ୍ରୋହୀ ସମସ୍ତ ଶ୍ରେୟ ନେଇଛନ୍ତି। ସେ ଦିଗା ଗେଟ୍‌ରୁ ମୋର ନାମ ହଟାଇ ତାଙ୍କ ନାମ ଲେଖିଥିଲେ। ଚଳିତ ବିଧାନସଭା ନିର୍ବାଚନରେ ଦେଶଦ୍ରୋହୀଙ୍କୁ ସଠିକ ଉତ୍ତର ଦିଆଯିବା ଉଚିତ, ଯିଏ ମେଦିନାପୁର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଳମୂଳ କଂଗ୍ରେସ ଛାଡି ଭାଜପାରେ ମିଶିଥିଲେ।

Share