Categories: ଜାତୀୟ

ପଶ୍ଚିମବଙ୍ଗ ଭାଜପାରେ ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ

କୋଲକାତା,୨୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବାର ବର୍ଷେ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନରେ ଭାଜପା ଭୋଟ ହାର ହ୍ରାସ ପାଇଚାଲିଛି। ଫଳରେ ଦଳୀୟ ନେତା ଓ କର୍ମୀମାନଙ୍କୁ ଏକାଠି ରଖିବା ପାଇଁ ଭାଜପା ରାଜ୍ୟ ଶାଖା ସଂଘର୍ଷ ଚଳାଇଛି। ବିଧାନସଭା ନିର୍ବାଚନ ପରାଜୟର ଝଟ୍‌କାକୁ ଦଳ ଭୁଲିପାରି ନ ଥିବାବେଳେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଲାଣି। ରାଜ୍ୟ ନେତୃତ୍ୱଙ୍କ କାର୍ଯ୍ୟକୁ ଅନେକ ନେତା ବିରୋଧ କରିବା ଆରମ୍ଭ କଲେଣି। ରାଜ୍ୟ ସଂଗଠନକୁ ଏକାଠି ରଖିବା ଲାଗି ଭାଜପା କେନ୍ଦ୍ରୀୟ ନେତୃତ୍ୱ ଉଦ୍ୟମ କରିଥିଲେ ହେଁ ତାହା ସଫଳ ହେଲା ଭଳି ଲାଗୁନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସମ୍ଭାବ୍ୟ ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି। ଶାହା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ପଶ୍ଚିମବଙ୍ଗରେ ଦଳୀୟ ସଂଗଠନ ବଢ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲେ।
ଦଳରେ ଯାହା ଘଟିଯାଇଛି ତାହା ଦୁର୍ଭାଗ୍ୟଜନକ। ଏହା ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ସମସ୍ୟା ସମାଧାନ ଲାଗି ଦଳୀୟ ନେତୃତ୍ୱ ଉଦ୍ୟମ ଚଳାଇଛନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି। ବିଧାନସଭା ନିର୍ବାଚନ ପରାଜୟ ପରେ ବାବୁଲ ସୁପ୍ରିୟୋ, ମୁକୁଲ ରାୟ ପ୍ରମୁଖ ଶୀର୍ଷ ନେତା ଦଳ ଛାଡ଼ି ଟିଏମ୍‌ସିରେ ଯୋଗଦେବା ଭାଜପାକୁ ଶକ୍ତ ଝଟ୍‌କା ହୋଇଥିଲା। ଏବେ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଜୋର୍‌ ଧରିଛି। ସମସ୍ୟା ସମ୍ପର୍କରେ ଗଣମାଧ୍ୟମକୁ ନ କହି ତାଙ୍କୁ ଜଣାଇବାକୁ ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କ ବିରୋଧରେ ଅଭିଯୋଗ ଆସୁଥିବାରୁ ଦଳରେ ଆତ୍ମସମୀକ୍ଷା ପାଇଁ ଭାଜପା ରାଷ୍ଟ୍ରୀୟ ସମ୍ପାଦକ ଅନୁପମ ହାଜରା ନିକଟରେ ଆହ୍ବାନ ଦେଇଥିଲେ। ରାଜ୍ୟ ନେତୃତ୍ୱ ଗଣତାନ୍ତ୍ରିକ ଢଙ୍ଗରେ କାର୍ଯ୍ୟ କରୁ ନ ଥିବାରୁ ଅଭିଜ୍ଞ ନେତାମାନେ ଦୂରେଇଯିବାକୁ ଚେଷ୍ଟା କରୁଛନ୍ତି। ନୂଆ ରାଜ୍ୟ ସଭାପତି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ନୁହନ୍ତି ବୋଲି ହାଜରା କହିଥିଲେ।

Share