Categories: ଜାତୀୟ

ପୋଲିସ-ଭାଜପା କର୍ମୀ ଖଣ୍ଡଯୁଦ୍ଧ

କୋଲକାତା,୯।୧୦:କୋଲକାତାରେ ଗୁରୁବାର ଭାଜପାର ‘ନବାନ୍ନ ରାଲି’ ବେଳେ ସଂଘର୍ଷ ଦେଖିବାକୁ ମିଳିଛି। ଭାଜପା ସମର୍ଥକମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଅଭିମୁଖେ ରାଲିରେ ବାହାରିଥିବାବେଳେ କେତେଜଣ କର୍ମୀ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ଭାଜପା କର୍ମୀମାନେ ବିରୋଧ କରି ପୋଲିସ ଉପରେ ଆକ୍ରମଣ କରିବାରୁ ଖଣ୍ଡଯୁଦ୍ଧର ସୂତ୍ରପାତ ହୋଇଥିଲା। ଭାଜପା ସମର୍ଥକଙ୍କ ଉପରେ ପୋଲିସ ପ୍ରଥମେ ଲୁହବୁହା ଗ୍ୟାସ୍‌ ଓ ପରେ ଲାଠିମାଡ଼ କରିଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ଦଳୀୟ କର୍ମୀଙ୍କୁ ହତ୍ୟା କରାଯିବା ବିରୋଧରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସଚିବାଳୟ ଅଭିମୁଖେ ରାଲି ବାହାର କରାଯାଇଥିଲା। କୋଲକାତା, ହାଓଡ଼ାର ସହସ୍ରାଧିକ ଭାଜପା ସମର୍ଥକ ଏଥିରେ ସାମିଲ ହୋଇଥିଲେ।
ଭାଜପା କର୍ମୀମାନେ ରାସ୍ତାରେ ଟାୟାର ଜାଳି, ରାସ୍ତା ଅବରୋଧ କରିଥିଲେ। ପୋଲିସ ସହ ସଂଘର୍ଷ ବେଳେ ଢେଲାମାଡ଼ ମଧ୍ୟ କରାଯାଇଥିଲା। ଏହି ସଂଘର୍ଷ ବେଳେ ଭାଜପା ପ୍ରଦେଶ ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ଓ ଏମ୍‌ପି ଜ୍ୟୋତିର୍ମୟ ସିଂ ମହାତୋ, ଭାଜପା ଜାତୀୟ ସମ୍ପାଦକ ଅରବିନ୍ଦ ମେନନ୍‌ ପ୍ରମୁଖ ଆହତ ହୋଇଥିଲେ। ଏଭଳି ସଂଘର୍ଷକୁ ରୋକିବା ଲାଗି ପୋଲିସ ପାଣିମାଡ଼, ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ଅନେକେ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଥିବାବେଳେ ଜଣଙ୍କଠାରୁ ଗୁଳିଭର୍ତ୍ତି ବନ୍ଧୁକ ଜବତ କରାଯାଇଥିବା ଜଣାପଡ଼ିଛି। ଭାଜପା କର୍ମୀମାନେ ବୋମାମାଡ଼ କରିଥିବା ମଧ୍ୟ ପୋଲିସ ଅଭିଯୋଗ କରିଛି। ପୋଲିସ-ଭାଜପା ସମର୍ଥକଙ୍କ ମଧ୍ୟରେ ହାଓଡ଼ାରେ ଖଣ୍ଡଯୁଦ୍ଧ ହେବାପରେ ସେଠାରେ ଥିବା ଦୋକାନବଜାର ବନ୍ଦ ହୋଇଯାଇଥିଲା।
ଭାଜପାର ନବନିଯୁକ୍ତ ଯୁବମୋର୍ଚ୍ଚା ମୁଖ୍ୟ ତେଜସ୍ବୀ ସୂର୍ଯ୍ୟ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା କର୍ମୀଙ୍କ ଉପରେ ଲୁହବୁହା ଗ୍ୟାସ୍‌ ଓ ପାଣିମାଡ଼ କରାଯିବା ଫାସିବାଦ ନୀତିର ଜ୍ୱଳନ୍ତ ଉଦାହରଣ। ଛାତ ଉପରୁ ଟିଏମ୍‌ସି ଗୁଣ୍ଡାମାନେ ର଼୍ୟାଲିବେଳେ ବିକ୍ଷୋଭକାରୀଙ୍କ ଉପରକୁ ଦେଶୀ ବୋମାମାଡ଼ କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଗୁଣ୍ଡାଗିରି ବନ୍ଦ ହେବା ଦରକାର ବୋଲି ସେ ଟୁଇଟ୍‌ କରି ଦର୍ଶାଇଛନ୍ତି। ମମତା ବାନାର୍ଜୀ ଶାନ୍ତିପୂର୍ଣ୍ଣ ରାଲିକୁ ହିଂସାର ରୂପ ଦେବାକୁ ପ୍ରୟାସ କରିଥିବା ଭାଜପା ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, କୋଲକାତାରୁ ୨ ଓ ହାଓଡ଼ାରୁ ୨ ଭାଜପା ରାଲି ବାହାରିଥିବାବେଳେ କରୋନା ଆଳରେ ଟିଏମ୍‌ସି ସରକାର ଏହାକୁ ଅନୁମତି ଦେଇ ନ ଥିଲା।

Share