Categories: ଜାତୀୟ

କୋଇଲା ଚୋରି ମାମଲା: ମମତାଙ୍କ ପୁତୁରାଙ୍କୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କୋଲକାତା,୧୭।୫: ପଶ୍ଚିମବଙ୍ଗ କୋଇଲା ଚୋରି ମାମଲାରେ ଫଶିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ତାଙ୍କ ବୋହୂ। ଖୁବଶୀଘ୍ର ଉଭୟଙ୍କୁ ୨୪ ଘଣ୍ଟାର ନୋଟିସ ଦେଇ ଜେରା କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ୟୁ ୟୁ ଲଲିତଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୯ ଜୁଲାଇରେ ହେବ।
ପଶ୍ଚିମବଙ୍ଗରେ ଅର୍ଥ ହେରଫେର ତଥା ବେଆଇନ କୋଇଲା ଖନନ ଏବଂ ଚୋରି ଅଭିଯୋଗ ମାମଲାରେ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ସ୍ତ୍ରୀ ରୁଚିକାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଅଭିଷେକ ବାନାର୍ଜୀଙ୍କ ଘରେ ମଧ୍ୟ ତଦନ୍ତକାରୀ ସଂସ୍ଥା ପହଞ୍ଚିଥିଲା। ଇଡି ଜେରାକୁ ସାମ୍ନା ନ କରିବା ପାଇଁ ଅଭିଷେକ ଓ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀରେ ନୁହେଁ ନିଜ ରାଜ୍ୟରେ ପଚରାଉଚରା କରାଯାଉ ବୋଲି ସେ ଦାବି କରିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି, ଯଦି କୋଲକାତାରେ ଇଡି ତାଙ୍କୁ ପଚରାଉଚରା କରେ ତେବେ ରାଜ୍ୟ ସରକାର ଇଡିର ସହଯୋଗ କରିବେ। ରାଜ୍ୟ ଦ୍ୱାରା କୌଣସି ପ୍ରକାରର ପ୍ରତିବନ୍ଧକ ଏବଂ ହସ୍ତକ୍ଷେପକୁ କୋର୍ଟ ବରଦାସ୍ତ କରିପାରିବ ନାହିଁ। ଯଦି ଏପରି କିଛି ଘଟେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share