Categories: ଜାତୀୟ

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ-ବାମଦଳ-ଆଇଏସ୍‌ଏଫ୍‌ ଆସନ ଭାଗବଣ୍ଟା

କୋଲକାତା,୩।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ଏନେଇ କଂଗ୍ରେସ, ବାମଦଳ ଏବଂ ଆଇଏସ୍‌ଏଫ୍‌ ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ ବାମଦଳକୁ ୧୬୫, କଂଗ୍ରେସକୁ ୯୨ ଏବଂ ଇଣ୍ଡିଆନ୍‌ ସେକ୍ୟୁଲାର୍‌ ଫ୍ରଣ୍ଟ (ଆଇଏସ୍‌ଏଫ୍‌)କୁ ୩୭ ଆସନ ମିଳିଛି। ମାର୍ଚ୍ଚ ୮ରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାର ସମ୍ଭାବନା ରହିଛି। ରାଜ୍ୟରେ ୮ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୭ରେ ୩୦ ବିଧାନସଭା ଆସନ ପାଇଁ ମତଦାନ କରାଯିବ। ସେହିପରି ଏପ୍ରିଲ୍‌ ୧ରେ ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଆସନରେ ଭୋଟଦାନ ହେବ। ତୃତୀୟ ପର୍ଯ୍ୟାୟ ୩୧ ବିଧାନସଭା ଆସନରେ ମତଦାନ ଏପ୍ରିଲ୍‌ ୬ରେ ଅନୁଷ୍ଠିତ ହେବ। ୧୦ ଏପ୍ରିଲ୍‌ରେ ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନରେ ମତଦାନ କରାଯିବ। ୧୭ ଏପ୍ରିଲ୍‌ରେ ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ପାଇଁ ଭୋଟ ଅନୁଷ୍ଠିତ ହେବ। ସେହିପରି ୨୨ ଏପ୍ରିଲ୍‌ରେ ଷଷ୍ଠ ପର୍ଯ୍ୟାୟରେ ୪୩ ବିଧାନସଭା ଆସନ ଲାଗି ମତଦାନ ହେବ। ସପ୍ତମ ପର୍ଯ୍ୟାୟରେ ୨୬ ଏପ୍ରିଲ୍‌ରେ ୩୬ ଆସନରେ ଭୋଟିଂ କରାଯିବ। ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟରେ ୨୯ ଏପ୍ରିଲ୍‌ରେ ୩୫ ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଫଳାଫଳ ଘୋଷଣା ମେ ୨ରେ ହେବ। ସମ୍ପ୍ରତି ରାଜ୍ୟ ବିଧାନସଭାରେ ତୃଣମୂଳ କଂଗ୍ରେସ ପାଖରେ ୨୧୧ ଜଣ ସଦସ୍ୟ ଥିବାବେଳେ କଂଗ୍ରେସର ୪୪ ଜଣ ସଦସ୍ୟ ରହିଛନ୍ତି। ସେହପରି ବାମଦଳର ୨୬, ଭାଜପାର ୩ ଏବଂ ୧୦ ଜଣ ନିର୍ଦ୍ଦଳୀୟ ସଦସ୍ୟ ରହିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୮ ରହିଛି।

Share