ଏହି ରାଜ୍ୟରେ ମେ’୩୦ ଯାଏ ଲକ୍‌ଡାଉନ

କୋଲକାତା,୧୫।୫: ରାଜ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ରାଜ୍ୟରେ ମେ’ ୧୬ରୁ ୩୦ ମେ’ ଯାଏ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନ ପାଇଁ ମୁଖ୍ୟ ଶାସନ ସଚିବ ଅଲ୍‌ପନ ବନ୍ଦୋପଧ୍ୟାୟ ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ସମୟରେ କ’ଣ କଟକଣା ରହିବ ଓ କ’ଣ କୋହଳ କରାଯିବ ସେନେଇ ଉଲ୍ଲେଖ କରାଯାଇଛି। ତେବେ ଲକ୍‌ଡାଉନ୍‌ରେ କେବଳ ଜରୁରୀ ସେବା ଜାରି ରହିବ ଏବଂ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଫଳ ପନିପରିବା, ରାଶନ ଦୋକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ମିଠା ଦୋକାନ ସନ୍ଧ୍ୟା ୫ଟା ଯାଏ ଖୋଲାରହିବ। ସେହିପରି ବ୍ୟାଙ୍କ ସେବା ସକାଳ ୧୦ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିସହ ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ଲୋକଙ୍କ ଗତିବିଧି ଉପରେ ରୋକୋ ଲଗାଯାଇଛି। ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏତଦ୍‌ ବ୍ୟତୀତ ଲୋକାଲ ଟ୍ରେନ୍‌, ମେଟ୍ରୋ, ବସ୍‌, ଟ୍ରେନ ସେବା ଆଦି ବନ୍ଦ ରହିବ। ଅନ୍ୟପଟେ ବିବାହରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ଜଣଙ୍କୁ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

Share