Categories: ଜାତୀୟ

ପଶ୍ଚିମବଙ୍ଗ ସରକାର, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ, ୨୦।୬: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କଲିକତା ହାଇକୋର୍ଟ ୪୮ ଘଣ୍ଟା ମଧ୍ୟରେ ପ୍ରତ୍ୟେକ ଜିଲାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା।

ବେଙ୍ଗାଲୁରୁ ସରକାରଙ୍କ ଏକ ଓକିଲ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି, ଜୁନ ୧୩ରେ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ସହ ସୁରକ୍ଷା ସମ୍ପର୍କରେ ଏକ ମୂଲ୍ୟାଙ୍କନ କରିଥିଲେ। କିନ୍ତୁ ଜୁନ ୧୫ରେ ହାଇକୋର୍ଟ ୪୮ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପଚାରିବାରୁ ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି, ଜୁଲାଇ ୮ରେ ନିର୍ବାଚନ ହେବ। ତେବେ ବୁଧବାର ଅର୍ଥାତ୍‌ ଜୁନ ୨୦ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ, ସେଠାରେ ୧୮୯ ସମ୍ବେଦନଶୀଳ ବୁଥ ଅଛି । ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସୁପ୍ରିମକୋର୍ଟ କହିଛନ୍ତି, ୨୦୧୩ ଏବଂ ୨୦୧୮ ନିର୍ବାଚନ ହିଂସାର ପୁରୁଣା ଇତିହାସ ଥିବାରୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହିଂସା ପରିବେଶରେ ନିର୍ବାଚନ କରାଯାଇପାରିବ ନାହିଁ। ନିର୍ବାଚନ ନିରପେକ୍ଷ ଏବଂ ମୁକ୍ତ ହେବା ଉଚିତ୍‌। ଯଦି ଲୋକଙ୍କର ନାମାଙ୍କନପତ୍ର ଦାଖଲ କରିବାର ସ୍ବାଧୀନତା ନାହିଁ, ସେମାନଙ୍କୁ ହତ୍ୟା କରାଯାଉଛି, ତେବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପ୍ରଶ୍ନ ଉଠୁନାହିଁ।

ସୁପ୍ରିମକୋର୍ଟ କହିଛନ୍ତି, ଆପଣଙ୍କ ନିଜ ସୂଚନା ଅନୁଯାୟୀ ଆପଣଙ୍କ ପାଖରେ ପୋଲିସ ଫୋର୍ସର ଅଭାବ ରହିଛି ଏବଂ ଆପଣ ଅନ୍ୟ ରାଜ୍ୟରୁ ପୋଲିସ ଫୋର୍ସ ମଗାଇବା କଥା କହୁଛନ୍ତି। ଏହି କାରଣରୁ ହାଇକୋର୍ଟ ଅନ୍ୟ ରାଜ୍ୟରୁ ପୋଲିସ ମଗାଇବା ପରିବର୍ତ୍ତେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ କହିଛନ୍ତି। ଏହା ଉପରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କହିଛନ୍ତି ଯେ ଏହା ନୁହେଁ, ଆମେ ପୋଲିସ ଫୋର୍ସର ବ୍ୟବସ୍ଥା କରିଛୁ।

Share