Categories: ଜାତୀୟ

‘ସରକାରୀ ଟଙ୍କା ନଷ୍ଟ କରି ମୋଦି ହେଉଛନ୍ତି ନେତା’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୨୬।୬: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳକୁ ବେଳ ରୋମାଞ୍ଚକର ହେବାରେ ଲାଗିଛି। ପ୍ରଥମଥର ଲାଗି ପଞ୍ଚାୟତ ନିର୍ବାଚନର ପ୍ରଚାରରେ ବାହାରିଥିବା ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।କୁଚବିହାରରେ ଏକ ଜନସଭାକୁ ସମ୍ବୋଧିତ କରି ମମତା କହିଛନ୍ତି, ସରକାରଙ୍କ ଟଙ୍କା ନଷ୍ଟ କରି ମୋଦି ଆମେରିକାକୁ ସନ୍ତୁଷ୍ଟ କରିବାକୁ ଯାଇଥିଲେ।
ମମତା ବାନାର୍ଜୀ ବିଏସଏଫ ଗୁଳିରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ମଞ୍ଚ ଉପରକୁ ଡାକିଥିଲେ। କହିଥିଲେ ମୋ ପାଖରେ ଖବର ରହିଛି କି ବର୍ଡରରେ ଏମାନେ ଭୟ ସୃଷ୍ଟି କରିବେ। ଏମିତି ହେଲେ ଅଭିଯୋଗ କରନ୍ତୁ। ବାସହରାଙ୍କ ପାଇଁ ଆବାସ ଯୋଜନାରେ କେନ୍ଦ୍ର ସରକାର ଟଙ୍କା ନ ଦେବାକୁ ନେଇ ସେ ଅଭିଯୋଗ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ୧୦୦ଦିନିଆ ଘର କାମ ପାଇଁ ଟଙ୍କା ଦେଉନାହାଁନ୍ତି। ହେଲେ ଏ ଟଙ୍କା ଆମେ ନେବୁ। ଆସନ୍ତା ଲୋକସଭା ନିର୍ବାଚନରେ ସରକାର ପରିବର୍ତ୍ତନ ହେଲେ ଟଙ୍କା ଆଣିବୁ। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ଟାର୍ଗେଟ କରି ସେ କହିଛନ୍ତି ମୋଦି ବାବୁ ଆମେରିକା ଯାଇ ଟଙ୍କା ନଷ୍ଟ କରୁଛନ୍ତି। ବେଳେବେଳେ ସେମାନେ ରୁଷିଆକୁ ଯାଆନ୍ତି, ବେଳେବେଳେ ଆଉ କେଉଁଆଡେ ଯାଆନ୍ତି। ଆମ ଲୋକମାନେ ଏଠାରେ ଟଙ୍କା ପାଉନାହାଁନ୍ତି ।

Share