Categories: ଜାତୀୟ

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ଭୋଟ

କୋଲକାତା, ୮।୭: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଏବଂ ହତ୍ୟାକାଣ୍ଡ ମଧ୍ୟରେ ଶନିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର ପ୍ରଶ୍ନ। ୫.୬୭ କୋଟି ଭୋଟର୨୨ ଜିଲା ପରିଷଦର ୯୨୮ ଆସନ, ୯,୭୩୦ ପଞ୍ଚାୟତ ସମିତି ଏବଂ ୬୩,୨୨୯ ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଦେବେ। ଜୁନ୍‌ ୮ରେ ନିର୍ବାଚନ ଘୋଷଣା ହେବା ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୯ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ମୁର୍ଶିଦାବାଦ ଏବଂ ଉତ୍ତର ୨୪ ପ୍ରଗଣା ଜିଲାରୁ ୩ ଜଣଙ୍କ ମୃତଦେହ ମିଳିଥିବାରୁ ମତଦାନ ବେଳେ ରକ୍ତପାତ ହେବା ଆଶଙ୍କା କରାଯାଉଛି। ଟିଏମ୍‌ସି ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ପ୍ରଚାରର ମଙ୍ଗ ଧରିଥିବାବେଳେ ଭାଜପା ପାଇଁ ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର, ଜାତୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପ୍ରଚାର ସମ୍ଭାଳିଥିଲେ।

Share